ଭୁବନେଶ୍ବର ୩।୬: ମୌସୁମୀ ବର୍ଷାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା । ମନ୍ତ୍ରୀ କହିଛନ୍ତି, ମୌସୁମୀ ଆସିଗଲାଣି ।ଅଦିନିଆ ବର୍ଷାରେ ଓଡ଼ିଶାର ଅନେକ ସ୍ଥାନରେ କ୍ଷତି ହୋଇଛି । ଜିଲ୍ଲାପାଳଙ୍କୁ କୁହାଯାଇଛି ୩ ଦିନରେ ରିପୋର୍ଟ ଦେବେ । ଫସଲ ନଷ୍ଟ ରିପୋର୍ଟ ଆସିବା ଆରମ୍ଭ ହେଲାଣି । ଖୁବ୍ଶୀଘ୍ର ସହାୟତା ଦିଆଯିବ । ଅଦିନିଆ ବର୍ଷାରେ ଧାନ ନଷ୍ଟ ପାଇଁ ଇନପୁଟ ସବସିଡି ଦିଆଯିବ । ଆଗାମୀ ମୌସୁମୀ ବର୍ଷାକୁ ନଜରରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ଗତ ଦୁଇ ସପ୍ତାହ ହେବ ତାତି ଉଭାନ୍ ଥିଲା । ମୌସୁମୀ ଆଗମନରେ ପୂରା ରାଜ୍ୟରେ ମେଘ ବର୍ଷିଥିଲା । ମୌସୁମୀର ଶୀତଳ ସ୍ପର୍ଶରେ ପୂରା ଓଡ଼ିଶା ଥଣ୍ଡା ପଡ଼ିଥିଲା । କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଉ ଆଗଉନି । ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ଛୁଇଁଛି । ଭବାନୀପାଟଣା ଓ ପୁରୀ ଲାଇନ୍ରୁ ଆଉ ଆଗଉନି । ଆସନ୍ତା ସପ୍ତାହ ଯାଏ ମୌସୁମୀ ଆଗେଇବାର ସମ୍ଭାବନା ନାହିଁ । ସୋମବାର ଭୀଷଣ ଗରମ ଓ ଗୁଳୁଗୁଳି ହୋଇଛି । ଆଗକୁ ବି ଏହା କଲବଲ କରିବ । ପାଣିପାଗ ବିଭାଗର ପୂର୍ବାନୁମାନ ଏଭଳି ଆଶଙ୍କାକୁ ତେଜିଲାଣି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୭ଦିନ ଯାଏ ମୌସୁମୀ ନିଷ୍କ୍ରିୟ ରହିବ। ଜଳବାୟୁ ସ୍ଥିତି ଅନୁକୂଳ ନ ଥିବାରୁ ଏହା ଆଗକୁ ଅଗ୍ରସର ହେବନି । ତେବେ ମୌସୁମୀ ଏବେ ଅଗ୍ରସର ନ ହେଲେ ବି ଏହାକୁ ଆଗୁଆ ବୋଲି ଧରାଯିବ । ସ୍ୱାଭାବିକ ଭାବେ ଜୁଲାଇ ୫ ତାରିଖ ସୁଦ୍ଧା ମୌସୁମୀ ପୂରା ଦେଶକୁ ଅଗ୍ରସର ହୁଏ । ଏହି ଅବଧି ପୂର୍ବରୁ ଏହା ସବୁଠି ପହଞ୍ଚିଯିବ ବୋଲି ସେ ଆକଳନ କରିଛନ୍ତି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି । କିନ୍ତୁ ଏହା ଆଗକୁ ବଢୁନି । ଆଗାମୀ ୫ରୁ ୭ ଦିନ ଯାଏ ମୌସୁମୀ ଆଗକୁ ଅଗ୍ରସର ହେବନି । ମୌସୁମୀ ସକ୍ରିୟ ନଥିବାରୁ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । କିନ୍ତୁ ଅଧିକାଂଶ ସ୍ଥାନରେ ବର୍ଷା ହେବନି ବୋଲି ସେ ପୂର୍ବାନୁମାନ କରିଛନ୍ତି ।
You Can Read:
ଭୁଲ୍ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଜେଲ୍ରେ ଅଛନ୍ତି ଅନେକ ଅଫିସର