ଭୁବନେଶ୍ଵର: ଝାଡ଼ଖଣ୍ଡରେ ଓ ଦକ୍ଷିଣ ବିହାର ନିକଟ ସମୁଦ୍ରରେ ସୃଷ୍ଟି ହୋଇଛି ଲଘୁଚାପ। ଓଡ଼ିଶାରେ ଏହାର ପ୍ରଭାବ ରହିବ । ୫ ଦିନ ଯାଏ ଅର୍ଥାତ ଜୁଲାଇ ୧୯ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।
୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡା ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୂଆପଡା ,ବଲାଙ୍ଗୀର, କଟକ, ସୋନପୁର, ନୂଆପଡାରେ ମଧ୍ୟ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହେଇଛି। ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିଥିବା ବେଳେ ଭଲ ବର୍ଷା ରେକର୍ଡ କରାଯାଇଛି। ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୨୮ ପ୍ରତିଶତ ବର୍ଷା ଅଧିକ ରେକର୍ଡ ହୋଇଛି।