ନୂଆଦିଲ୍ଲୀ ୦୯/୦୮: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ-ଏନସିଆର ସମେତ ନୋଏଡାରେ ପ୍ରବଳ ବର୍ଷା ଅସ୍ତବ୍ୟସ୍ତ ଜନଜୀବନ । ଅନେକ ଅଞ୍ଚଳ ଜଳମଗ୍ନ । ବିଶେଷ କରି ଦିଲ୍ଲୀର ଶାସ୍ତ୍ରୀ ଭବନ, ଆରକେ ପୁରମ, ମୋତି ବାଗ ଓ କିଦୱାଇ ନଗର ଭଳି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ସେହିପରି ବର୍ଷା ପରେ ମଥୁରା ରୋଡ୍ ପାଣିରେ ବୁଡ଼ି ଯାଇଥିଲା । ଭାରତ ମଣ୍ଡପମର ଗେଟ୍ ନମ୍ବର ୭ରେ ମଧ୍ୟ ପାଣି ଜମିଥିଲା । ସେପଟେ ପାଣିପାଗ ବିଭାଗ ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ମଧ୍ୟ ଜାରି କରିଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଶନିବାର ଦିଲ୍ଲୀରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି । ଯାହା ଆଗାମୀ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ। ପୂର୍ବ ଏବଂ କେନ୍ଦ୍ରୀୟ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।
#WATCH | Delhi | Heavy rain causes waterlogging at the Panchkuian Marg pic.twitter.com/nldjJHoqhI
— ANI (@ANI) August 9, 2025
ରିପୋର୍ଟ ଅନୁଯାୟୀ, ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି। ଏହି ସମୟରେ, IMD ହିମାଚଳ ପ୍ରଦେଶରେ ବର୍ଷା କାର୍ଯ୍ୟକଳାପ ଜାରି ରହିବା ନେଇ ସତର୍କ କରାଇଛି । ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅଗଷ୍ଟ ୧୧ ଏବଂ ୧୨ରେ ତିନୋଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ଏହାସହ ବାକି ଜିଲ୍ଲା ପାଇଁ ଏକ ୟେଲୋ ଆଲର୍ଟ ଜାରି କରାଯାଇଛି । ଚଳିତ ବର୍ଷ ମୌସୁମୀ ହିମାଚଳ ପ୍ରଦେଶରେ ଏପର୍ଯ୍ୟନ୍ତ ବହୁତ କ୍ଷତି ଆଣିଛି । ଜୁନ୍ ୨୦ ପରଠାରୁ ମୌସୁମୀ ସମ୍ବନ୍ଧୀୟ ଘଟଣାରେ ମୋଟ ୨୦୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି ।