ଭୁବନେଶ୍ୱର ୧୮।୦୮ : ସୋମବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ବିକ୍ଷିପ୍ତ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହି ତିନି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ।
ପଶ୍ଚିମ କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାକୁ ଲାଗିଥିବା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ସମୁଦ୍ର ଉପରେ ଥିବା ଘୂର୍ଣ୍ଣିବଳୟ ରବିବାର ଅପରାହ୍ନରେ ଲଘୁଚାପରେ ପରିଣତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ। ୧୯ ତାରିଖ (ମଙ୍ଗଳବାର) ସକାଳୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାର କଳାହାଣ୍ଡି, ରାୟଗଡ଼ା ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ମଙ୍ଗଳବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ରବିବାର ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ୨୦, ଜଗତସିଂହପୁରରେ ୧୪.୨, ଭବାନୀପାଟଣାରେ ୧୩.୮, ତାଳଚେରରେ ୧୩.୪, ଦାରିଙ୍ଗିବାଡ଼ିରେ ୧୨, ନୟାଗଡ଼ରେ ୧୦, ଚାନ୍ଦବାଲିରେ ୯.୫ ଓ ବଲାଙ୍ଗୀରରେ ୭.୫ ମିମି ବର୍ଷା ହୋଇଛି ।