ବିବାହ ରିସେପ୍ସନରେ ଫୁଟିଲା ଗୁଳି, ଟଳି ପଡ଼ିଲେ ଦୁଇ ଭାଇ

NEWS7
heat-wave-alert-in-odisha

ପାଟନା: ହସ ଖୁସିରେ ଚାଲିଥିଲା ବିବାହ ରିସେପ୍ସନ। ସବୁଠି ଆନନ୍ଦର ମାହୋଲ। ଷ୍ଟେଜ ଉପରେ ବର-ବଧୂଙ୍କୁ ଦେଖିବାକୁ ବନ୍ଧୁ ପରିଜନଙ୍କ ଗହଳି। ସେପଟେ ରିସେପ୍ସନ ଭୋଜିର ବି ମଜା ନେଉଥାନ୍ତି ଅତିଥି। ହେଲେ ଏତିକି ବେଳେ ଫୁଟିଲା ଗୁଳି। କେହି କିଛି ବୁଝିବା ଆଗରୁ ଟଳି ପଡ଼ିଲେ ଦୁଇ ଭାଇ। ବିବାହ ରିସେପ୍ସନରେ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ବିହାର ପାଟନାରେ। ମୃତକ ହେଉଛନ୍ତି ମନଜିତ୍ କୁମାର (୨୫) ଏବଂ ମନୀଷ କୁମାର (୨୭)। ପୋଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ପାଟନା (ପୂର୍ବ) ଏସଆଇ ପରିଚୟ କୁମାରଙ୍କ ସୂଚନା ଅନୁସାରେ, ଗୋପାଳପୁର ଥାନା ଅନ୍ତର୍ଗତ ଶାହପୁର ଗାଁର ଦୌଲତ ରାୟ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ବାହାଘର ରିସେପ୍ସନ ଚାଲିଥିଲା। ଏହି ରିସେପ୍ସନରେ ଯୋଗ ଦେବାକୁ ପହଞ୍ଚିଥିଲା ମନଜିତ ଏବଂ ମନୀଷ। ମାତ୍ର କେହି ଅଜଣା ଦୁର୍ବୃତ୍ତ ଭିଡ଼ର ଫାଇଦା ନେଇ ଉଭୟଙ୍କୁ ଗୁଳି କରିଥିଲା। ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେ ଆହୁରି କହିଛନ୍ତି ପୋଲିସ ଘଟଣାସ୍ଥଳରୁ ୩ ଖୋକା ଜବତ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜ ଚାଲିଛି। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ଜମିଜମା ମାମଲାରେ ଥିବା ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା କହିଛନ୍ତି ଏସଆଇ।