ସ୍କୁଟରକୁ ଧକ୍କା ଦେଲା ବସ୍‌, ଚାଲିଗଲା ନ୍ୟୁଜ୭ ସାମ୍ବାଦିକାଙ୍କ ଜୀବନ

NEWS7
heat-wave-alert-for-odisha-in-next-few-days

ଭୁବନେଶ୍ୱର ୦୬।୦୧ :  ଖବର ପାଲଟିଗଲେ ଖବରଦାତା। ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ନ୍ୟୁଜ ସେଭେନ୍‌ ସାମ୍ବାଦିକାଙ୍କ ଜୀବନ। ପୁରୀ- ଭୁବନେଶ୍ବର ମଙ୍ଗଳପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ନ୍ୟୁଜ ସେଭେନ୍‌ରେ କାର୍ଯ୍ୟରତ ସାମ୍ବାଦିକ ଶିଲା ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ ଥିବା ଆଉ ଜଣେ ସଂପର୍କୀୟଙ୍କର ବି ମୃତ୍ୟୁ ହୋଇଯାଇଛି । ଏପରି ଦୁଃଖଦ ଖବର ପାଇ ନ୍ୟୁଜ ସେଭେନ୍‌ କାର୍ଯ୍ୟାଳୟରେ ଖେଳିଯାଇଛି ଶୋକର ଛାୟା।

ଦୁଇ ଜଣ ମହିଳା । ଏକ ସ୍କୁଟର ଯୋଗେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ପିପିଲି ମଙ୍ଗଳପୁର ନିକଟରେ ସାରଳା ନାମକ ଏକ ଘରୋଇ ବସ୍‌ଟି ଉକ୍ତ ସ୍କୁଟରକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ପରେ ସ୍କୁଟରଟିକୁ ପ୍ରାୟ ୨୦ ମିଟର ଘୋଷାଡ଼ି ନେଇଥିଲା । ଯାହାଫଳରେ ସ୍କୁଟରରେ ଥିବା ମହିଳାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ପରେ ତୁରନ୍ତ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲ ନେବା ରାସ୍ତାରେ ଗୁରୁତର ମହିଳାଙ୍କର ମୃତ୍ୟୁ ହୋଇସାରିଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ  ଜଣେ ସିଲା ପଟ୍ଟନାୟକ, ସେ ନ୍ୟୁଜ ସେଭେନ୍‌ର ସାମ୍ବାଦିକା ଭାବେ କାର୍ଯ୍ୟରତ ଥିଲେ ।