ଯାଜପୁର : ଫୁଲରେ ସଜେଇ ହୋଇଛି ଗାଡି। ଛାତ୍ରଛାତ୍ରୀଙ୍କ ଗହଳିରେ ପୁରି ଉଠୁଛି ଗାଁ ଦାଣ୍ଡ। ବିଭିନ୍ନ ସାଜସଜ୍ଜା ସହ ଲୋକାରଣ୍ୟ ହୋଇଉଠିଛି ପରିବେଶ। ମନରେ ଦୁଃଖ ତଥାପି ବାଜା ବଜାଇ ନାଚୁଛନ୍ତି ଛାତ୍ରଛାତ୍ରୀ। କାହିଁକିନା ଇଏ ପ୍ରଧାନଶିକ୍ଷକଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ । ସମସ୍ତେ ଖୁସି ଖୁସି ସାର୍ ଙ୍କୁ ବିଦାୟ ଦେବାକୁ କରିଛନ୍ତି ଆୟୋଜନ । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ଅଞ୍ଚଳରେ। ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଇନ୍ଦ୍ରମଣି କର ଏଠାରେ ଦୀର୍ଘ ୩୭ ବର୍ଷରୁ ଉର୍ଦ୍ଧ୍ୱ ହେବ ଶିକ୍ଷା ଦାନ କରି ଥିଲେ। ମାତ୍ର ଏବେ ଅବସର ସମୟ ଆସିଛି। ତେଣୁ ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ସାରଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ବିଜ୍ଞାନ ଶିକ୍ଷକ ଇନ୍ଦ୍ରମଣି କର। ଅବସର ପରେ ସ୍କୁଲର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାରଙ୍କୁ ଦିଆଯାଇଥିଲା ଭାବପୂର୍ଣ ବିଦାୟ ସମ୍ବର୍ଦ୍ଧନା। ପଞ୍ଚାୟତ ପରିକ୍ରମା କରିବା ପୂର୍ବରୁ ସାରଙ୍କ ଉଦ୍ଦେଶ୍ୟରେ ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ପଠାଣି ସାମନ୍ତ ପ୍ଲାନିଟୋରିୟମ ର ପୂର୍ବତନ ଉପନିର୍ଦ୍ଦେଶକ ଡଃ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାଧାରଣ ଲୋକେ, ସାର ଙ୍କ ପାଖରେ ପାଠ ପଢିଥିବା ପୂରାତନ ଛାତ୍ରଛାତ୍ରୀ, ସହକର୍ମୀ ଓ ବନ୍ଧୁ ପରିଜନ ମାନେ ସଭାରେ ଉପସ୍ଥିତ ରହି ଇନ୍ଦ୍ରମଣି ସାର ଙ୍କୁ ବିଦାୟ ଦେବା ସହ ସାରଙ୍କ ସହ ନିଜ ସ୍ମୃତି ବଖାଣି ଥିଲେ। ଛାତ୍ରଛାତ୍ରୀମାନେ ସାରଙ୍କ ଗୁଣଗାନ କରି କାନ୍ଦି ପକାଉଛନ୍ତି। ସ୍କୁଲରେ ଉନ୍ନତି ଲାଗି ଏବଂ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ନିଷ୍ଠା ଯୋଗୁଁ ସେ ସ୍ଥାନୀୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ବିଦାୟ ସମ୍ବର୍ଦ୍ଧନା ସଭାରେ ସାର ତାଙ୍କର ୩୭ବର୍ଷର ଅଭିଜ୍ଞତା ବାବଦରେ ବଖାଣି ଥିଲେ।
ସ୍କୁଲରୁ ନେଇ ଗାଁ ପର୍ଯ୍ୟନ୍ତ ସମସ୍ତଙ୍କ ଅତିପ୍ରିୟ ଶିକ୍ଷକଙ୍କ ଅବସରକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଭାବବିହ୍ୱଳ ପରିବେଶ ମଧ୍ୟରେ ଇନ୍ଦ୍ରମଣି ସାର ଙ୍କୁ ବିଦାୟ ଦିଆଯାଇଛି। ସୁସଜ୍ଜିତ ଗାଡ଼ିରେ ସାର ଙ୍କୁ ବସାଇ ସମଗ୍ର ଅଞ୍ଚଳ ବୁଲାଇଥିଲେ ଛାତ୍ରଛାତ୍ରୀ। ସାରଙ୍କ ବିଦାୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ହେଲେ ଚାକିରି ଜୀବନ ଶେଷ ହୋଇଯିବାରୁ ସାରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ବିଦାୟ ଦେଇଛନ୍ତି ସମସ୍ତେ।