ରାଷ୍ଟ୍ରପତିଙ୍କ ହତ୍ୟା ଅପରାଧରେ ତାଙ୍କୁ ଫାଶୀ ଦିଆଯାଇ ଥିଲା, ୪୫ ବର୍ଷ ପରେ ପୁଣି କାହିଁକି ହେଉଛି ମାମଲାର ଶୁଣାଣି ?

Published By : Prameya-News7 Bureau | July 17, 2025 IST

ନୂଆଦିଲ୍ଲୀ : ୧୯୮୦ ମସିହାର ଘଟଣା। ହତ୍ୟା ପାଇଁ ଫାଶୀରେ ଝୁଲି ସାରିଛି ଦୋଷୀ। ଘଟଣାକୁ  ୪ ଦଶନ୍ଧି ବିତି ସାରିଛି। କିନ୍ତୁ ଏବେ ପୁଣି ଥରେ ନ୍ୟାୟର କାଠଗଡ଼ାକୁ ଟଣା ହୋଇଛି ମାମଲା। ସଠିକ୍ ତଦନ୍ତ ହୋଇନି। ତରବରିଆ ଭାବେ ରାୟ ଶୁଣାଇ ଦଣ୍ଡ ଦିଆଯାଇ ଥିଲା। ଦକ୍ଷିଣ କୋରିଆ ଏବେ ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲ। ଦକ୍ଷିଣ କୋରିଆର ରାଷ୍ଟ୍ରପତି ପାର୍କ ଚୁଙ୍ଗ-ହିଙ୍କୁ ହତ୍ୟା କରିବା ଅପରାଧରେ ଫାଶୀ ପାଇଥିଲେ ଚର୍ଚ୍ଚିତ ଗୁପ୍ତଚର କିମ୍ ଜାଏ-ଗ୍ୟୁ। ପାର୍କଙ୍କ ହତ୍ୟା ଦକ୍ଷିଣ କୋରିଆର ଆଧୁନିକ ଇତିହାସରେ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। 

୪୫ ବର୍ଷ ପରେ, ପୁଣି ଫାଶୀ ପାଇଥିବା କିମଙ୍କ ମାମଲାର ଆରମ୍ଭ ହେଲା ପୁନଃ ଯାଞ୍ଚ। ଗତ ଜୁଲାଇ ୧୬ରୁ ପୁନର୍ବିଚାର ଆରମ୍ଭ ହୋଇଛି । ଦକ୍ଷିଣ କୋରିଆର ଅଶାନ୍ତ ଗଣତାନ୍ତ୍ରିକ ଇତିହାସରେ ପ୍ରକୃତରେ କ'ଣ ଘଟିଥିଲା ? ଏକ ଏମିତି ମାମଲାର ପୁନଃ ଶୁଣାଣି କାହିଁକି ହେଉଛି , ଯାହାର ମୁଖ୍ୟ ଅଭିଯୁକ୍ତର ଚାରି ଦଶନ୍ଧି ପୂର୍ବେ ମୃତ୍ୟୁ ହୋଇ ସାରିଛି ? ଏଥିନେଇ ପୁଣି ଆରମ୍ଭ ହେଲା ମାନସମନ୍ଥନ । ୧୯୭୯ ମସିହାର ୨୬ ଅକ୍ଟୋବରରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ପାର୍କ ଚୁଙ୍ଗ-ହିଙ୍କୁ ହତ୍ୟା କରାଯାଇଥିଲା । ତାଙ୍କର ପୁରୁଣା ସହଯୋଗୀ ତଥା ବନ୍ଧୁ କିମ୍ ଜାଏ-ଗ୍ୟୁ ହତ୍ୟା କରିଥିଲେ। ଯିଏ ସେତେବେଳେ କୁଖ୍ୟାତ କୋରିଆନ୍ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା , KCIAର ମୁଖ୍ୟ ଥିଲେ । ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ବେଳେ ପାର୍କଙ୍କୁ ହତ୍ୟା କରାଯାଇ ଥିଲା ।

ରାଷ୍ଟ୍ରପତିଙ୍କ ସୁରକ୍ଷା ଦଳର ସଦସ୍ୟମାନଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେବା ନେଇ ମଧ୍ୟ କିମ୍‌ଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । କିମଙ୍କୁ ଗିରଫ କରାଯାଇ ଥିଲା। ମାର୍ଶଲ ଲ’ ଅନୁସାରେ, ଏକ ସାମରିକ କୋର୍ଟରେ ବିଚାର ଚାଲିଲା। ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା । ଶେଷରେ ୧୯୮୦ ମସିହାରେ ତାଙ୍କୁ ଫାଶୀ ଦିଆଯାଇ ଥିଲା । କିମ୍‌ଙ୍କ ଡିଫେନ୍ସ ଟିମ୍ ଯୁକ୍ତି ବାଢି ଥିଲେ ଯେ, ସେ ପାର୍କଙ୍କ ଏକଛତ୍ରବାଦ ଶାସନରେ ହେଉଥିବା ରକ୍ତପାତକୁ ରୋକିବାକୁ ଚେଷ୍ଟା କରୁଥିଲେ ଏବଂ ଏକ ଗଣତାନ୍ତ୍ରିକ ପରିବର୍ତ୍ତନ ପାଇଁ ଏପରି କରିଥିଲେ । କିନ୍ତୁ ପ୍ରତିପକ୍ଷ ଏହାର ବିରୋଧ କରି କହିଥିଲେ ଯେ, ଦେଶରେ ଏକ ବଡ଼ ବିଦ୍ରୋହ ପାଇଁ ସେ ଉଦ୍ୟମ କରୁଥିଲେ ।

ଏଠାରେ ପ୍ରଶ୍ନ ଉଠିଛି, ୪୫ ବର୍ଷ ପରେ କାହିଁକି ପୁଣି ଖୋଲିଲା ଦକ୍ଷିଣ କୋରିଆର ରାଷ୍ଟ୍ରପତି ହତ୍ୟା ମାମଲା ? ମାର୍ଶଲ ଲ’ ଅଧୀନରେ ସାମରିକ ବିଚାର ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଯୁକ୍ତି କରାଯାଇଛି। ଡିଫେନ୍ସ ଟିମକୁ ପ୍ରୋସିଡିଂ ରେକର୍ଡ କରିବାକୁ ଅନୁମତି ଦିଆଗଲା ନାହିଁ। କିମ୍ ଓ ଅନ୍ୟମାନଙ୍କୁ ନିର୍ଯାତନା ଦିଆଯାଇ ଥିବୀର ପ୍ରମାଣ ଅଛି ବୋଲି ତାଙ୍କର ସମର୍ଥକମାନେ ଯୁକ୍ତି କରିଥିଲେ । ଏହା ପରେ ସିଓଲ ହାଇକୋର୍ଟରେ ପୁଣି ଥରେ ଖୋଲିଛି ମାମଲା ।

ଫେବୃଆରୀ ୨୦୨୪ରେ, କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ,ପୁନର୍ବିଚାରର ଅନୁମତି ଦେଇଥିଲେ। ନୂଆ ବିଚାରରେ 'ବିଦ୍ରୋହ'ର ଆଇନଗତ ପରିଭାଷାକୁ ପୁଣି ଥରେ ପରୀକ୍ଷା କରାଯିବ। କିମଙ୍କ ପରିବାର, ବିଶେଷକରି ତାଙ୍କ ଭଉଣୀ, ତାଙ୍କ ନାମ ହଟେଇବା ପାଇଁ ଦଶନ୍ଧି ଧରି ଅଭିଯାନ ଚଳେଇ ଥିଲେ । ୨୦୧୭ରେ ପାର୍କ ଚୁଙ୍ଗ-ହିଙ୍କ ଝିଅ ତଥା ପୂର୍ବତନ ରାଷ୍ଟ୍ରପତି ପାର୍କ ଗିଉନ୍-ହେଙ୍କ କ୍ଷମତାରୁ ହଟି ଥିଲେ। ତାଙ୍କ ଶାସନର ପତନ ପରେ, ପାର୍କଙ୍କ ଦେଶ ପାଇଁ ଯୋଗଦାନ ଏବଂ କିମଙ୍କ ଉଦ୍ଦେଶ୍ୟର ମୂଲ୍ୟାୟନ ପାଇଁ ଦାବି ଉଠିଥିଲା ।

କିମ୍ ଜଣେ ଅପରାଧୀ ନା ଜଣେ ବିପ୍ଳବୀ ?  କିମ୍ ଯାହା କରିଥିଲେ ତାହା ଏକ ଅପରାଧିକ ନା ବିପ୍ଳବୀ କାର୍ଯ୍ୟ । ଏହି  ପୁନର୍ବିଚାର ଦକ୍ଷିଣ କୋରିଆର ଏକ କ୍ଷମତାସୀନ ଯୁଗର ଏକ ବ୍ୟାପକ ଐତିହାସିକ ପୁନଃ ମୂଲ୍ୟାଙ୍କନର ଏକ ଅଂଶ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.