ସରକାରୀ କାମ ଓଡିଆରେ ହେବା ନେଇ ପାଗ ଭିଡ଼ା ସରୁନି, ଖାଲି କଥାରେ କଥା ଚାଲିଛି ଓଡ଼ିଆ ଅସ୍ମିତା

NEWS7
haryana-government-granted-21-days-furlough-ram-rahim-honeypreet

ଭୁବନେଶ୍ଵର:  ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ସ୍ବାଭିମାନର ମୂଳ ପରିଚୟ ହେଲା କୁହ ଓଡ଼ିଆ ଲେଖ ଓଡ଼ିଆ। ହେଲେ ସରକାରୀ କାମ ଓଡିଆରେ ହେବା ନେଇ ପାଗ ଭିଡ଼ା ସରୁନି।  ଖାଲି କଥାରେ କଥା ଚାଲିଛି ସରକାରୀ କାମ ଓଡ଼ିଆରେ ହିଁ ହେବ। ଏନେଇ ବୟାନବାଜି ଚାଲିଛି, ଇଚ୍ଛା ଅଛି କିନ୍ତୁ କାମ ଆଗଉନି। ଆସନ୍ତୁ ଜାଣିବା କେମିତି ଚାଲିଛି ଓଡ଼ିଆରେ ସରକାରୀ କାମ।

ନଜର ପକାନ୍ତୁ ଗଣଶିକ୍ଷା ବିଭାଗର  ଚିଠି ଉପରେ |  ପଂଚାୟତିରାଜ ବିଭାଗର ଚିଠି, ଏବଂ  ସମବାୟ ବିଭାଗ ଚିଠି। ତିନି ବିଭାଗର ଚିଠିରେ ଚିଠିରେ ଗୋଟେ ସମାନତା ରହିଛି , ତାହା ହେଉଛି ଚିଠି ଏଗୁଡ଼ିକ ସମ୍ପୂର୍ଣ୍ଣ ଇଂରାଜୀରେ ଲେଖାଯାଇଛି। ୨୦୨୪  ଜୁଲାଇ ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଓଡ଼ିଆ ଭାଷାରେ ସବୁ ନଥିପତ୍ର କାମ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ |

ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡ଼ିଲେ ସରକାରୀ ଭାଷା ଆଇନର ସଂଶୋଧନ କରିବାକୁ ମଧ୍ୟ ଜୋର ଦେଇଥିଲେ।  ୧୬ ମାସ ପରେ ବି ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଇପାରିନାହିଁ | କାଁ ଭାଁ ଓଡିଆ ଚିଠିକୁ ଛାଡିଦେଲେ, ସମସ୍ତ ପ୍ରଶାସନିକ କାମ ଏବେ ବି ଇଂରାଜୀରେ ହେଉଛି | ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବ‌ହାର କରିବାକୁ ଅଧିକାରୀମାନେ ଆଗ୍ରହ ମଧ୍ୟ ପ୍ରକାଶ କରୁ ନାହାନ୍ତି | 

ଓଡ଼ିଶା ପ୍ରଥମ ରାଜ୍ୟ, ଯାହା ଭାଷାଭିତ୍ତିରେ ଗଠନ ହୋଇଥିଲା । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବାର ୯୦ ବର୍ଷ ପରେ ବି ପ୍ରଶାସନିକ ସ୍ତରରେ ଶତ ପ୍ରତିଶତ ଓଡ଼ିଆ ଭାଷାର ପ୍ରଚଳନ ହୋଇପାରିନାହିଁ |  ଓଡ଼ିଆ ଭାଷା ବ୍ୟବହାର ଯାଞ୍ଚ ପାଇଁ କମିସନ ଗଠନ ନିମନ୍ତେ ବହୁ ଦିନରୁ ଦାବି ହୋଇ ଆସୁଛି | ପୂର୍ବ ସରକାର ସମୟରେ ଏହି ଦାବି ହୋଇ ଆସୁଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାଷା କମିସନ ଗଠନ ପାଇଁ ଘୋଷଣା କରିଛନ୍ତି |

ଆଗାମୀ ଦିନରେ ସରକାର ସଫଳ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ। ପ୍ରଶାସନିକ ବ୍ୟବସ୍ଥାରେ ବର୍ଷ ବର୍ଷ ଧରି ଓଡ଼ିଆ ଭାଷା ଚରମ ଅବହେଳାର ଶିକାର ହୋଇ ଆସୁଛି | ତେବେ ଆଗାମୀ ଦିନରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ସରକାରଙ୍କୁ କଡା ପଦକ୍ଷେପ ନେବାକୁ ପଡ଼ିବ ବୋଲି ମତ ରଖିଛନ୍ତି ଭାଷାବିତ।