କାନାଡାରେ କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ଘଟଣା, ଆତଙ୍କୀ କହିଲା କାହିଁକି କରିଥିଲା ଗୁଳିମାଡ଼...

Published By : Prameya-News7 Bureau | July 11, 2025 IST

ନୂଆଦିଲ୍ଲୀ: କମେଡିଆନ କପିଲ ଶର୍ମାଙ୍କ କାନାଡା ସ୍ଥିତ କ୍ୟାଫେ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ହରଜିତ ସିଂହ ଲାଡି। ସୋସିଆଲ ମିଡିଆ ପୋଷ୍ଟରେ ସେ ଏନେଇ ସୂଚନା ଦେବା ସହ ଆକ୍ରମଣ ପଛର କାରଣ କହିଛି । ହରଜିତ ସିଂହ, ବବ୍ବର ଖାଲସା ଇଣ୍ଟରନାସନାଲ (ବିକେଆଇ) ସହ ଜଡ଼ିତ। ଆହୁରି ମଧ୍ୟ ଏହି ଆକ୍ରମଣ ପାଇଁ ସେ ବିକେଆଇ ସହ ଜଡ଼ିତ ଅନ୍ୟ ଜଣେ ସାଥୀ ତୁଫାନ ସିଂହଙ୍କ ସହୟତା ନେଇଥିବା ମଧ୍ୟ କହିଛି। 

ତେବେ ସୋସିଆଲ ମିଡିଆରେ ଆକ୍ରମଣର କାରଣ କହିଛି ଲାଡି। ସେ କହିଛି କପିଲ ଶର୍ମା ଶୋ’ର ଜଣେ କଳାକାର ନିହଙ୍ଗ ସିଖ୍‌ଙ୍କ ଉପରେ ନେଇ ଥଟ୍ଟା ମଜା କରିଥିଲା। କଳାକାର ଜଣକ ନିହଙ୍ଗଙ୍କ ପୋଷାକ ଏବଂ ବ୍ୟବହାର ଉପରେ ଟିପ୍ପଣୀ କରିଥିଲେ। ଏଭଳି କରି ସେ ସିଖ୍‌ ସମୁଦାୟର ଭାବାବେଗକୁ ପରିହାସ କରିଥିଲେ। 

ଲାଡି କହିଛି କମେଡି ଆଢ଼ୁଆଳରେ କୌଣସି ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଭାବନାର ଥଟ୍ଟା ପରିହାସ କରାଯାଇପାରିବନି। ଏହାକୁ ଆଦୌ ବରଦାସ୍ତ କରାଯିବନି। ଲାଡି ଆହୁରି କହିଛି କପିଲ ଶର୍ମାଙ୍କ ମ୍ୟାନେଜରଙ୍କୁ ଅନେକ ଥର କଲ୍ କରିଥିଲା। କିନ୍ତୁ ସେ କୌଣସି ଜବାବ ଦେଇନଥିଲେ। କପିଲ ମଧ୍ୟ ଏହାକୁ ନେଇ କ୍ଷମା ମାଗିଲେନି। 

ସିଖ୍‌ ଧର୍ମରେ ନିହଙ୍ଗ ସିଖ୍‌ଙ୍କୁ ପରାମ୍ପରଗତ ଯୋଦ୍ଧା ବୋଲି ବିଶ୍ବାସ କରାଯାଏ। ଏମାନେ ବିଶେଷ ରଙ୍ଗର ନୀଳ ପୋଷାକ ଏବଂ ପାରମ୍ପରିକ ହତିଆର ରଖିଥାନ୍ତି। ଏହା ବାଦ ଏମାନେ ପାରମ୍ପରିକ ସିଖ୍ ମାର୍ସଲ ଆର୍ଟରେ ମଧ୍ୟ ଦକ୍ଷ।

ସୂଚନାଥାଉକି, ବୁଧବାର ରାତିରେ କପିଲ ଶର୍ମାଙ୍କ କ୍ୟାପ୍ସ କ୍ୟାଫେରେ ଫାୟାରିଂ ହୋଇଥିଲା। ଅବଶ୍ୟ ଏଥିରେ କୌଣସି ସମ୍ପତ୍ତି କ୍ଷତି ହୋଇନାହିଁ। କାହାର ଜୀବନ ମଧ୍ୟ ଯାଇନାହିଁ।କାରଣ ଯେଉଁ ସମୟରେ ଗୁଳିକାଣ୍ଡ ହୋଇଥିଲା, ସେ ସମୟରେ ଷ୍ଟାଫ୍‌ ମାନେ କ୍ୟାଫେ ଭିତରେ ଥିଲେ। 

ତେବେ ଏହି ମାମଲାରେ ତୁରନ୍ତ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ଆକ୍ରମଣ ପାଇଁ ହରଜିତ ସିଂହ ଲାଡି ନିଜକୁ ଦାୟୀ କରିଛି। ଲାଡି ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ। ସୂଚନାଥାଉକି, କାନାଡା ସରକାର ବିକେଆଇକୁ ଏକ ଆତଙ୍କୀ ସଂଗଠନ ବୋଲି ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.