ଅହମ୍ମଦାବାଦ: ଜୋସ୍ ବଟଲରଙ୍କ ଦମଦାର ବ୍ୟାଟିଂ ବଳରେ ଦିଲ୍ଲୀକୁ ୭ ଓ୍ଵିକେଟ୍ରେ ହରାଇଛି ଗୁଜରାଟ ଟାଇଟନ୍ସ। ଆଇପିଏଲର ୩୫ତମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୮ ଓ୍ଵିକେଟ୍ ହରାଇ ୨୦୩ ରନ କରିଥିଲା। ଜବାବରେ ଗୁଜରାଟ ଜୋସ ବଟଲରଙ୍କ ଅପରାଜିତ ୯୭ ରନ ବଳରେ ୧୯.୨ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ବଟଲରଙ୍କ ବ୍ୟତୀତ ଶେରଫେନ ରଦରଫୋର୍ଡ ୪୩ ରନ କରିଛନ୍ତି। ହେଲେ ଐତିହାସିକ ଶତକରୁ ଗୁଜରାଟ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଦ୍ଵିତୀୟ ପରାଜୟ ସହ ଦିଲ୍ଲୀ ତାଲିକାର ଦ୍ଵିତୀୟ ସ୍ଥାନକୁ ଖସି ଆସିଛି।
୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ମାତ୍ର ୧୪ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଶୁଭମନ ଗିଲ୍ ୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସାଇ ସୁଦର୍ଶନ ଓ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ରେ ୬୦ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ।। ୭୪ ରନ ସ୍କୋରରେ ସାଇ ସୁଦର୍ଶନ ବ୍ୟକ୍ତିଗତ ୩୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଜୋସ୍ ବଟଲର ଓ ରଦରଫୋର୍ଡ ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡ଼ିଥିଲେ।
ଏହି କ୍ରମରେ ଜୋସ୍ ବଟଲର ଅର୍ଦ୍ଧଶତକ ପୂରଣ କରିଥିଲେ। ରଦରଫୋର୍ଡ ୪୩ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଗୁଜରାଟର ବିଜୟ ସହ ବଟଲର ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ଶେଷ ଓଭରରେ ଗୁଜରାଟକୁ ଜିତିବା ପାଇଁ ୧୦ ରନ ଦରକାର ଥିବା ବେଳେ ରାହୁଲ ତେଓ୍ଵତିଆ ୩ ବଲରୁ ୧୧ ରନ କରିବାରୁ ବଟଲର ୯୭ ରନରେ ଅପରାଜିତ ରହି ୩ ରନରୁ ଶତକରୁ ବଞ୍ଚିତ ହୋଇଛନ୍ତି। ବଟଲରଙ୍କ ଇନିଂସରେ ୧୧ ଚୌକା ଓ ୪ ଛକା ସାମିଲ। ଏଥିସହ ଗୁଜରାଟ ୧୯.୨ ଓଭରରେ ମାତ୍ର ୩ ଓ୍ଵିକେଟ୍ ମ୍ୟାଚ୍କୁ ଜିତି ନେଇଛି।