ନୂଆଦିଲ୍ଲୀ: ଦୋକାନ ଖୋଲିବାରେ ବିଳମ୍ବ ହେବାରୁ ମାଲିକ ଓ ତାଙ୍କ ଝିଅକୁ ଗୁଳି କରି ହତ୍ୟାକଲା ମଦ ଖୋଜୁଥିବା ଗ୍ରାହକ। ଆମେରିକାର ଭର୍ଜିନିଆରେ ଡିପାର୍ଟମେଣ୍ଟ ଷ୍ଟୋର ବାହାରେ ଜଣେ ଗୁଜରାଟୀ ବାପା-ଝିଅଙ୍କୁ ହତ୍ୟା କରିବା ଘଟଣା ଆମେରିକାରେ ଥିବା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁଜରାଟରେ ଥିବା ପୀଡିତ ପରିବାର ଘଟଣା ସମ୍ପର୍କରେ ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି।
ମୃତକ ହେଲେ ୫୬ ବର୍ଷୀୟ ପ୍ରଦୀପଭାଇ ପଟେଲ। ଓ ତାଙ୍କର ୨୬ ବର୍ଷୀୟ ଝିଅ ଉର୍ମି ପଟେଲ। ପୀଡ଼ିତ ପରିବାରର କହିବା ଅନୁସାରେ, ଜଣେ ଆଫ୍ରିକାନ ଆମେରିକୀୟ ବ୍ୟକ୍ତି ମଦ ଖୋଜିବା ପାଇଁ ରାତି ସାରା ଅପେକ୍ଷା କରିଥିଲେ। ଭୋର ୫ଟା ସମୟରେ ଯେତେବେଳେ ପ୍ରଦୀପ ଓ ତାଙ୍କ ଝିଅ ଦୋକାନ ଖୋଲିବାକୁ ଆସିଥିଲେ, ସେତେବେଳେ ଅଭିଯୁକ୍ତ ଜଣଙ୍କ ପ୍ରଦୀପଙ୍କ ସହିତ ପ୍ରବଳ ଯୁକ୍ତି ତର୍କ କରିଥିଲା।
ବଚସା ଆଗକୁ ବଢିବାରୁ ଯୁବକ ଜଣଙ୍କ ପ୍ରଦୀପ ଓ ତାଙ୍କ ଝିଅଙ୍କୁ ଗୁଳି କରିଥିଲା। ପ୍ରଦୀପଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଭେଣ୍ଟିଲେଟରରେ ରହିବା ପରେ ମୃତ୍ୟୁ ହୋଇଛି।
ପଢନ୍ତୁ- ସନ୍ଦେହ ପାଇଁ ଛାରଖାର ହେଲା ସଂସାର; ସ୍ତ୍ରୀ ପିଲାଙ୍କୁ ଗୁଳି କରିଦେଲେ ବିଜେପି ନେତା: ୩ ମୃତ
ଘଟଣା ସମ୍ପର୍କରେ ବର୍ଣ୍ଣନା କରି ତାଙ୍କ ପରିବାର ଲୋକେ କହିଛନ୍ତି ଯେ ଅଭିଯୁକ୍ତ ଜର୍ଜ ଫ୍ରାଜିଅର ଡେଭନ ୱାର୍ଟନ ସାରା ରାତି ସେମାନଙ୍କ ଡିପାର୍ଟମେଣ୍ଟ ଷ୍ଟୋରରେ ଲୁଚି ରହିଥିଲେ। ଯେତେବେଳେ ପ୍ରଦୀପ ଏବଂ ଉର୍ମି ପହଞ୍ଚିଲେ, ସେତେବେଳେ ସେ ରାତି ସାରା କାହିଁକି ଷ୍ଟୋର ବନ୍ଦ କରାଯାଇଥିଲା ବୋଲି କହି ତର୍କ କରିଥିଲେ। ଏବଂ ତାଙ୍କ ଯୋଗୁ ରାତିସାରା ଅପେକ୍ଷା କରିବାକୁ ପଡ଼ିଲା ବୋଲି ସେ କହିଥିଲେ।
ରାଗ ଏବଂ ହତାଶରେ ଜର୍ଜ ବାପା ଝିଅଙ୍କ ଉପରେ ଗୁଳି ମାଡ଼ କରିଥଇଲେ। ପ୍ରଦୀପଙ୍କୁ ଦୁଇଟି ଗୁଳି ବାଜିଥିବା ବେଳେ ଗୋଟିଏ ଗୁଳି ଉର୍ମିଙ୍କୁ ବାଜିଥିଲା। ଘଟଣାର ଦୁଇ ଘଣ୍ଟା ମଧ୍ୟରେ ଆମେରିକୀୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସୂଚନା ଥାଉକି ଛଅ ବର୍ଷ ପୂର୍ବେ, ପ୍ରଦୀପଭାଇ ଏବଂ ତାଙ୍କ ସ୍ତ୍ରୀ ହଂସାବେନ ତାଙ୍କର ସାନ ଝିଅ ଉର୍ଭିଙ୍କ ସହିତ ଭିଜିଟର ଭିସାରେ ଆମେରିକା ଯାଇଥିଲେ। ପ୍ରଦୀପଙ୍କ ଗୋଟିଏ ଝିଅ କାନାଡାରେ ରହୁଥିବାବେଳେ, ଅନ୍ୟଟି ବିବାହିତ ଏବଂ ଅହମ୍ମଦାବାଦରେ ରହୁଛି।
ଏହି ଘଟଣା ପରେ, ପ୍ରଦୀପଙ୍କ ଝିଅ ଏବଂ ଜ୍ୱାଇଁ ଅହମ୍ମଦାବାଦରୁ ବିମାନରେ ଆସି ଆମେରିକାରେ ପହଞ୍ଚିଛନ୍ତି। ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଛି ଏବଂ ତାଙ୍କ ଉପରେ ପ୍ରଥମ-ଡିଗ୍ରୀ ହତ୍ୟା ଏବଂ ଦୁଷ୍କର୍ମ ଅଭିଯୋଗ ଲଗାଯାଇଛି।