ରାଜସ୍ଥାନର ଆତ୍ମସମର୍ପଣ, ଶୀର୍ଷକୁ ଉଠିଲା ଗୁଜରାଟ ଟାଇଟନ୍ସ

Published By : Prameya-News7 Bureau | April 09, 2025 IST

ଅହମ୍ମଦାବାଦ: ଆଇପିଏଲ୍‌ ୨୦୨୫ର ୨୩ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୫୮ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଉଭୟ ବ୍ୟାଟିଂ  ଓ ବୋଲିଂ ସହ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଭଲ ପ୍ରଦର୍ଶନ କରି ଚଳିତ ସଂସ୍କରଣରେ ଚତୁର୍ଥ ବିଜୟ ହାସଲ କରିଛି। ଦଳ ୫ ମ୍ୟାଚ୍‌ରୁ ୪ଟି ଜିତି ୮ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ରାଜସ୍ଥାନ ସମାନ ମ୍ୟାଚ୍ ଖେଳି ତୃତୀୟ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ସାଇ ସୁଦର୍ଶନଙ୍କ ୮୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୧୭ ରନ କରିଥିଲା। ଜବାବରେ ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫୯ ରନରେ ଅଲଆଉଟ୍ ହୋଇଛି। ସିମରନ ହେଟମାୟର ସର୍ବାଧିକ ୫୨ ରନ ଓ ସଞ୍ଜୁ ସାମସନ ୪୧ ରନ କରିଥିଲେ। ପ୍ରସିଦ୍ଧ କୃଷ୍ଣ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। 

୨୧୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ଆରମ୍ଭରୁ ଓ୍ଵିକେଟ୍ ହରାଇ ଚାପରେ ରହିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ପତନ ଯୋଗୁଁ ଦଳ ଆଉ ଚାପରୁ ମୁକୁଳି ପାରି ନ ଥିଲା। ଅଧିନାୟକ ସଞ୍ଜୁ ସାମସନ ୪୧ ରନ କରିଥିଲେ ହେଁ ଦଳର ସ୍ଥିତି ସୁଧୁରି ନ ଥିଲା। ଯଶସ୍ଵୀ ଜୟସ୍ଵାଲ ୬ ରନ, ନୀତିଶ ରାଣା ୧ ରନ, ଧ୍ରୁବ ଜୁରେଲ ୫ ରନ ନିରାଶ କରିଥିଲେ। ମଧ୍ୟକ୍ରମରେ ସିମରନ ହେଟମାୟର ୩୨ ବଲରୁ ୫୨ ରନ କରିଥିଲେ ହେଁ କୌଣସି ବ୍ୟାଟର ତାଙ୍କୁ ସହାୟତା ଦେଇ ନ ଥିଲେ। ରିୟାନ ପରାଗ ୨୬ ରନ କରିଥିଲେ। ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଳରେ ରାଜସ୍ଥାନ ୧୯.୨ ଓଭରରେ ୧୫୯ ରନରେ ଅଲଆଉଟ୍ ହୋଇଛି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୧୪ ରନ ସ୍କୋରରେ ଅଧିନାୟକ ଶୁଭମନ ଗିଲ୍‌ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପର ସାଇ ସୁଦର୍ଶନ ଓ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡ଼ିଥିଲେ। ୯୪ ରନ ସ୍କୋରରେ ବଟଲର ୩୬ ରନ କରି ଆଉଟ୍ ହୋଇଥିଲେ। ଶାହରୁଖ ଖାନ ୩୬ ରନ କରିଥିଲେ। ଅନ୍ୟପଟେ ସାଇ ସୁଦର୍ଶନ୫୩ ବଲରୁ ୮ ଚୌକା ଓ ୩ ଛକା ସହ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ବଳରେ ଗୁଜରାଟ ୬ ଓ୍ଵିକେଟ୍  ହରାଇ ୨୧୭ ରନ କରିଛି। ରାହୁଲ ତେଓ୍ଵତିଆ ଦ୍ରୁତ ୨୪ ରନ କରିଥିଲେ। ବୋଲିଂରେ ତୁଷାର ଦେଶପାଣ୍ଡେ ୨ଟି ଓ ମହୀଶ ତୀକ୍ଷଣା ୨ଟି ଓ୍ଵିକେଟ୍ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.