ଭୁବନେଶ୍ବରରେ ପହଞ୍ଚିଲା ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍‌ ଅନର

Published By : Prameya-News7 Bureau | March 17, 2025 IST

ଭୁବନେଶ୍ବର: ସୋମବାର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ଓଡ଼ିଶା ପହଞ୍ଚିବା ପରେ ବିମାନ ବନ୍ଦର ଠାରେ ହିଁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି । ଏହି ସମୟରେ ବିମାନ ବନ୍ଦରରେ ହିଁ ତାଙ୍କର ଶେଷ ଦର୍ଶନ କରିଥିଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ। ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ବିଜେପି ପାର୍ଟି ଅଫିସ୍‌କୁ ନିଆଯାଇଥିଲା। ସେଠାରେ ଅନ୍ୟ ବିଜେପି ନେତା ଏବଂ କର୍ମୀମାନେ ତାଙ୍କର ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ଦେବେନ୍ଦ୍ରଙ୍କ ବାସ ଭବନକୁ ନିଆଯାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ବାସଭବନ ଠାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମଙ୍ଗଳବାର ସ୍ବର୍ଗଦ୍ବାରରେ ସ୍ବର୍ଗତ ପ୍ରଧାନଙ୍କ ଅନ୍ତିମ ସଂସ୍କାର କରାଯିବ।

ସୂଚନାଥାଉକି, ସୋମବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଘଟିଛି।  ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।  ଦୁଇ ଦୁଇ ଥର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ବରିଷ୍ଠ ରାଜନୈତିଜ୍ଞ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନ ହେଉଛନ୍ତି ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା।

ଉଲ୍ଲେଖଯୋଗ୍ୟ, ରାଜ୍ୟ ବିଜେପିର ବରିଷ୍ଠ ତଥା ଅନ୍ୟତମ ପୁରୁଖା ସଦସ୍ୟ ଡାକ୍ତର ଦେବେନ୍ଦ୍ର ପ୍ରଧାନ ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୯୬୬ ମସିହାରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମବିବିଏସ୍ ପାସ୍ କରିଥିଲେ । ପରେ ୧୯୭୩ରେ ଚାକିରିରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଏବଂ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ।   

୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ତାଳଚେର ମଣ୍ଡଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ। ଏହାପରେ ୧୯୮୩ରୁ ୧୯୮୫, ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପରେ ୧୯୮୮ରୁ ୧୯୯୦, ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ନିର୍ବାଚିତ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଓଡିଶାରେ ବିଜେପିର ପତିଆରା ବୃଦ୍ଧିରେ ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।  

ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ ୧୯୯୮ରେ ଅନୁଷ୍ଠିତ ୧୨ତମ ସାଧାରଣ ନିର୍ବାଚନରେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତତ୍‌କାଳୀନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ୧୩ତମ ସାଧାରଣ ନିର୍ବାଚନରେ ଦେବଗଡ଼ ଆସନରୁ ସେ ପୁଣି ଥରେ ସାଂସଦ ଭାବେ ବିଜୟୀ ହୋଇଥିଲେ ଏବଂ   ବାଜପେୟୀ ସରକାରରେ ପୁନର୍ବାର ମନ୍ତ୍ରୀ ହୋଇଥିଲେ । ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ଖବର ପରେ ଢେଙ୍କାନାଳ, ଦେବଗଡ଼ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.