ନୂଆଦିଲ୍ଲୀ ୨୮/୦୮: ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ ପିଏମ୍ ଘୋଷଣା କରିଥିଲେ GST ସଂସ୍କାର । ଆଉ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକ ଦୀପାବଳି ପୂର୍ବରୁ ଲାଗୁ କରାଯିବ । ଆସନ୍ତା ସପ୍ତାହରେ ବସିବାକୁ ଯାଉଛି GST ପରିଷଦ ବୈଠକ । ଏହା ପୂର୍ବରୁ GST ସ୍ଲାବରେ ପରିବର୍ତ୍ତନ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି।
ଏହି ଅନୁସାରେ, ବୈଠକରେ ସରକାର ଶୂନ୍ୟ GST ସ୍ଲାବର ପରିସରକୁ ବୃଦ୍ଧି କରିପାରିବେ । ଏଥିରେ ଅନେକ ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅନ୍ତର୍ଭୁକ୍ତ କରିପାରିବେ । ଯାହା ଏପର୍ଯ୍ୟନ୍ତ ୫% ଏବଂ ୧୮% GST ପରିସର ମଧ୍ୟରେ ଆସୁଛି । ରିପୋର୍ଟ ଅନୁସାରେ, ଏହି ସାମଗ୍ରୀଗୁଡ଼ିକରେ ମୁଖ୍ୟତଃ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ ହେବ । କହିବାକୁ ଗଲେ ରୁଟି,କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି ।
ବିଶେଷ କରି ୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ଖାଦ୍ୟ ଏବଂ ସାମଗ୍ରୀ ଉପରେ ଜିଏସଟି ଛାଡ଼ କରାଯିବ ବୋଲି ସୂଚନା ରହିଛି । ୟୁଏଚଟି କ୍ଷୀର, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚପାତି, ଆଦି ଖାଦ୍ୟସାମଗ୍ରୀ ଉପରେ ଶୂନ୍ୟ ଜିଏସଟି ଲାଗୁ ହେବ । ସେହିପରି ୧୮% ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ପରଟା ଉପରେ ମଧ୍ୟ ଜିଏସଟି ଛାଡ କରାଯିବ । ଏନେଇ ପ୍ରସ୍ତାବ ଆସିଥିବା ସୂଚନା ମଳିଛି ।
ସେହପରି ପାଠ୍ୟ ଉପକରଣ ଉପରେ ମଧ୍ୟ ଜିଏସଟି ଛାଡ଼ ହେବ । ମ୍ୟାପ୍, ହାଇଡ୍ରୋଗ୍ରାଫିକ ଚାର୍ଟ, ଆଟାଲାସ, ସବୁ ପ୍ରକାରର ପେନସିଲ, କାନ୍ଥ ମ୍ୟାପ୍, ଗ୍ଲୋବ୍ସ, ପ୍ରିଣ୍ଟେଡ ଚାର୍ଟ, ନୋଟବୁକ ଆଦି ଶିକ୍ଷାକ୍ଷେତ୍ରରେ ଜଡିତ ସାମଗ୍ରୀ ଉପରେ ଜିଏସଟି ଛାଡ଼ ହେବ । ଏସବୁ ଉପରେ ଏବେ ୧୨ ପ୍ରତିଶତ ଟାକ୍ସ ଲାଗୁ କରାଯାଇଛି । ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଉପରେ ଟାକ୍ସ ଭାର କମିବ । ଏନେଇ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ୫୬ ତମ ଜିଏସଟି କାଉନସିଲ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବାର ଅଛି ।