ନୂଆଦିଲ୍ଲୀ ୨୮।୦୭: ଭାରତର ବନ୍ଧୁରାଷ୍ଟ୍ର ଗ୍ରୀସ୍ । ବର୍ତ୍ତମାନ ପ୍ରବଳ ଗରମ ଏବଂ ଜଙ୍ଗଲ ନିଆଁର ହେଉଛି ଶିକାର । ରାଜଧାନୀ ଆଥେନ୍ସଠାରୁ ଅଳ୍ପ ଦୂରରେ ଆରମ୍ଭ ହୋଇଥିବା ନିଆଁ ଏବେ ଏକ ଜାତୀୟ ବିପର୍ଯ୍ୟୟର ରୂପ ନେଇଛି । ଶନିବାର ଆଟିକା ଅଞ୍ଚଳର ଆଫିଡନେସ୍ ଅଞ୍ଚଳରେ ଲାଗିଥିବା ନିଆଁ ଡ୍ରୋସୋପିଗି, କ୍ରିଓନେରି ଏବଂ ଆଗିଓସ୍ ଷ୍ଟେଫାନୋସ୍ ଭଳି ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।
ନିଆଁ କାରଣରୁ ପ୍ରଶାସନକୁ ଗାଁଗୁଡ଼ିକୁ ଖାଲି କରିବାକୁ ପଡିଛି ଏବଂ ଶହଶହ ଲୋକଙ୍କୁ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିଛି। ରବିବାର ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୨୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ, ହେଲିକପ୍ଟର ଏବଂ ପାଣି ଫିଙ୍ଗା ଯାଉଥିବା ବିମାନ ନିୟୋଜିତ ଅଛନ୍ତି । କିନ୍ତୁ ପ୍ରବଳ ପବନ ଏବଂ ଶୁଷ୍କ ଜଙ୍ଗଲ ପ୍ରତ୍ୟେକ ପ୍ରୟାସକୁ ବିଫଳ କରୁଛି।
ଗ୍ରୀସର ଜଳବାୟୁ ସଙ୍କଟ ମନ୍ତ୍ରୀ ୟାନିସ୍ କେଫାଲୋଗିଆନିସ୍ କହିଛନ୍ତି ଯେ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ଲୋକଙ୍କ ଜୀବନ ବିପଦରେ ଅଛି । ଘର ଏବଂ ଜଙ୍ଗଲ ପାଉଁଶ ହୋଇଯାଇଛି । ଆଥେନ୍ସ ବ୍ୟତୀତ ଗ୍ରୀସର ଅନେକ ସ୍ଥାନରେ ନିଆଁ ଭୟଙ୍କର ରୂପ ନେଇଛି। ଏଭିଆ ଦ୍ୱୀପର ପିସୋନା ଅଞ୍ଚଳରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରେ ଥିବା କୁହାଯାଉଛି । ଆଫ୍ରାତି ଆଡକୁ ମୁହାଁଇଥିବା ନିଆଁ ଅଞ୍ଚଳର ବିଦ୍ୟୁତ୍ ତାରଗୁଡ଼ିକୁ ନଷ୍ଟ କରିଦେଇଛି । ଯାହା ଫଳରେ ଶହ ଶହ ପରିବାର ଅନ୍ଧାରରେ ରହିବାକୁ ବାଧ୍ୟ ହୋଇଛନ୍ତି। କିଥିରା ଦ୍ୱୀପରେ ପରିସ୍ଥିତି ଆହୁରି ଭୟଙ୍କର । ଏଠାରେ ତଟରକ୍ଷୀ ଏବଂ ଘରୋଇ ଡଙ୍ଗା ସାହାଯ୍ୟରେ ଲିମନିଓନାସ୍ ବେଳାଭୂମିରୁ ୧୩୯ ଜଣଙ୍କୁ ଉଦ୍ଧାର କରାଯାଇଛି।
ଶନିବାର ମେସିନିଆର ତ୍ରିଫିଲିଆ ଅଞ୍ଚଳରେ ଲାଗିଥିବା ନିଆଁ ପ୍ରବଳ ପବନ ଯୋଗୁଁ ସମଗ୍ର ଅଞ୍ଚଳରେ ବ୍ୟାପିଯାଇଛି । ୮୪ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ୭ଟି ବିମାନ ଏହାକୁ ଲିଭାଇବାରେ ନିୟୋଜିତ ଅଛନ୍ତି, କିନ୍ତୁ ନିଆଁ ନିୟନ୍ତ୍ରଣକୁ ଆସୁନାହିଁ। ଗ୍ରୀସ ପ୍ରାୟ ଗୋଟିଏ ସପ୍ତାହ ଧରି ଏକ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭବ କରୁଛି । ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଶନିବାର ଆମ୍ଫିଲୋହିଆରେ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ପହଞ୍ଚିଥିଲା । କିନ୍ତୁ ସୋମବାର ଗରମ କମିବ ବୋଲି ଆଶା କରାଯାଉଛି।
ଗତ ମାସରେ ଉତ୍ତର ଏଜିଆନ୍ ସାଗରରେ ଗ୍ରୀସର ପଞ୍ଚମ ବୃହତ୍ତମ ଦ୍ୱୀପ ଚିଓସରେ ଅଗ୍ନିକାଣ୍ଡ ଘଟି ୪୭୦୦ ହେକ୍ଟର ଜମି ନଷ୍ଟ ହୋଇଯାଇଥିଲା । ପୂର୍ବରୁ ଜୁଲାଇରେ କ୍ରେଟରେ ଜଙ୍ଗଲ ନିଆଁ କାରଣ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ । ଜଙ୍ଗଲ ଅଗ୍ନିକାଣ୍ଡ ପାଇଁ ସବୁଠାରୁ ବିନାଶକାରୀ ବର୍ଷ ଥିଲା ୨୦୨୩ । ଏହି ବର୍ଷ ପ୍ରାୟ ୧୭୫ ହଜାର ହେକ୍ଟର ଜମି ନଷ୍ଟ ହୋଇଯାଇଥିଲା ଏବଂ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା।