ବ୍ରିଟେନରେ ଗଡ଼ିଲା ରଥ: ଛେରା ପହଁରା କଲେ ଲଣ୍ଡନରେ ଥିବା ଡେପୁଟି ହାଇକମିଶନ

Published By : Prameya-News7 Bureau | June 29, 2025 IST

News7

ସ୍ଲୋ: ବ୍ରିଟେନର ପ୍ରମୁଖ ସହର ସ୍ଲୋ ସ୍ଥିତ ଅପଟନ୍ କୋର୍ଟ ପାର୍କ  ପରିସରରେ  ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜଗନ୍ନାଥ ଧ୍ୱନୀରେ ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (SJSUK) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଭକ୍ତ ଯୋଗଦେଇଥିଲେ। 

ଏହି ମହାନ ଉତ୍ସବରେ ଶ୍ରୀରାମ ମନ୍ଦିର ସାଉଥହଲରୁ ଅପଟନ୍ କୋର୍ଟ ପାର୍କକୁ ଯାତ୍ରା କରିଥିଲେ। ୮ ଦିନ ପାଇଁ ଗୁଣ୍ଡିଚା ମନ୍ଦିରରେ ରହିବେ। ଗ୍ରେଟର ଲଣ୍ଡନ ଏବଂ ଆଖପାଖର ହୋମ୍ କାଉଣ୍ଟି ମଧ୍ୟରେ ସମ୍ପ୍ରଦାୟ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କକୁ ସୁଦୃଢ଼ କରିବା ଏହାର ପ୍ରତୀକ। ଅପଟନ୍ କୋର୍ଟ ପାର୍କରେ ଶ୍ରୀଜିଉଙ୍କୁ ଧାଡି ପହଣ୍ଡିରେ ରଥକୁ ନିଆଯାଇଥିଲା। ଘଣ୍ଟ, ଶଙ୍ଖ ଏବଂ ହରି ବୋଲରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। 

ଲଣ୍ଡନରେ ଥିବା ଭାରତୀୟ ହାଇକମିଶନର ଡେପୁଟି ହାଇକମିଶନର ସୁଜିତ ଘୋଷ ଏବଂ ଶ୍ରୀରାମ ମନ୍ଦିର ସାଉଥହଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ଟ୍ରଷ୍ଟି ଅରୁଣ ଠାକୁରଙ୍କ ଦ୍ୱାରା ରଥଗୁଡ଼ିକର ଛେରା ପହଁରା କରାଯାଇଥିଲା। ଏହାପରେ ଭକ୍ତମାନେ ରଥକୁ ଟାଣି ନେଇଥିଲେ। ୱିଣ୍ଡସରର ସାଂସଦ ଜ୍ୟାକ ରାଙ୍କିନ, ସ୍ଲୋର ଡେପୁଟି ମେୟର ନୀଲ ରାଣା, ସ୍ଲୋ କାଉନସିଲର ସୁବାସ ମୋହିନ୍ଦ୍ର, ଜୟ ଶର୍ମା ଏବଂ ବାଲମୁକୁନ୍ଦ ଜୋଶୀଙ୍କ ସମେତ ଶ୍ରୀରାମ ମନ୍ଦିର ସାଉଥହଲର ଟ୍ରଷ୍ଟି ଏବଂ ସ୍ଲୋ ହିନ୍ଦୁ ମନ୍ଦିରର ଅଧ୍ୟକ୍ଷ ବିନୋଦ କୁମାର ରଥ ଟାଣିବାରେ ଯୋଗ ଦେଇଥିଲେ। 

ଏହି କାର୍ଯ୍ୟକ୍ରମ କେବଳ ସାମୁହିକ ବନ୍ଧନକୁ ସୁଦୃଢ଼ କରିନଥିଲା ବରଂ ବିବିଧ ଦର୍ଶକଙ୍କ ନିକଟରେ ଜଗନ୍ନାଥ ପରମ୍ପରାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ପ୍ରଦର୍ଶନ କରିଥିଲା। ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ଏପରି ଅର୍ଥପୂର୍ଣ୍ଣ କାର୍ଯ୍ୟକ୍ରମ ମାଧ୍ୟମରେ ସାଂସ୍କୃତିକ ବୁଝାମଣା ଏବଂ ଆଧ୍ୟାତ୍ମିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ।

  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.