ଲଣ୍ଡନ ୧୮।୧୦: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ଏରିଗେସୀ ଡବ୍ଲୁଆର ଚେସ୍ ମାଷ୍ଟର୍ସ ଫାଇନାଲରେ ଫ୍ରାନ୍ସର ମ୍ୟାକ୍ସିମ ୱାଚିୟର-ଲାଗ୍ରେଭଙ୍କୁ ହରାଇ ଟାଇଟଲ ନିଜ ନାମରେ କରିଛନ୍ତି। ଏରିଗେସୀ କ୍ଲାସିକ୍ ଚେସ୍ରେ ଦୁଇଟି ଡ୍ର ପରେ ‘ଆର୍ମାଗେଡନ ଗେମ’ ରେ ଫ୍ରାନ୍ସ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି। ପୁରା ଟୁର୍ଣ୍ଣାମେଣ୍ଟ କାଳରେ ଏରିଗେସୀ ନିଜର ଲୟ ସ୍ଥିର ରଖି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ଏହି ବିଜୟରେ ସେ ପୁରସ୍କାର ରୂପେ ୨୦,୦୦୦ ୟୁରୋ ଅର୍ଥାତ ୧୮.୨୩ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି।
ସେ ଏହି ନକଆଉଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ତାଙ୍କ ବନ୍ଧୁ ଆର.ପ୍ରଜ୍ଞାନା ନନ୍ଦାଙ୍କୁ ପରାଜିତ କରିଥିଲେ। ୧୬ ଜଣ ଖେଳାଳିଙ୍କ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ରେ ଏରିଗେସୀ ଇଂଲଣ୍ଡର ଖେଳାଳି ଶିବାନନ୍ଦା ବୋଧନାଙ୍କୁ ପରାସ୍ତ କରିଛନ୍ତି। ଶିବାନନ୍ଦା ନିକଟରେ ଅନୁଷ୍ଠିତ ଚେସ୍ ଅଲିମ୍ପିୟାଡରେ ଅଂଶଗ୍ରହଣ କରିଥିବା ସବୁଠୁ କମ ବୟଷ୍କ ଖେଳାଳି ଥିଲେ। ଶିବାନନ୍ଦାଙ୍କ ପରେ ଏରିଗେସୀ ଦୁଇଟି ରାଉଣ୍ଡରେ କ୍ରମଶଃ ଭିଦିତ ଗୁଜରାଟି ଓ ପ୍ରଜ୍ଞାନା ନନ୍ଦାଙ୍କୁ ଯଥାକ୍ରମେ ୧.୫-୦.୫ ଅନ୍ତରରେ ହରାଇଥିଲେ।
ୱାଚିୟେର-ଲାଗ୍ରେଭ ଫାଇନାଲରେ ବିଶ୍ୱ ରାଙ୍କିଙ୍ଗର ଚତୁର୍ଥ ପାହାଚରେ ଥିବା ଏରିଗେସୀଙ୍କୁ କଡା ଟକ୍କର ଦେଇଥିଲେ। ହେଲେ ଆର୍ମାଗେଡନ ଗେମରେ ପଛେଇ ଯାଇଥିଲେ। ଏହି ବିଜୟ ସହିତ ଅର୍ଜୁନ ଏରିଗେସୀ ୨୮୦୦ ଇଏଲଓ ରେଟିଂରୁ ଦୂରରେ ରହିଛନ୍ତି, କାରଣ ତାଙ୍କ ଫରାସୀ ପ୍ରତିଦ୍ୱନ୍ଦ୍ୱୀ କ୍ଲାସିକାଲ ଗେମ ଦୁଇଟି ଡ୍ର କରି ଦେଇଥିଲେ। ତେବେ ଏରିଗେସୀ ୩ଟି ଜାକ ଆର୍ମାଗେଡନ ଗେମ ଜିତିଛନ୍ତି। ସେ ତାଙ୍କ ରଣନୀତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ‘ମୂଳ ରୂପେ ମୋତେ ଲାଗିଥିଲା ମୋତେ ଏହି ଖେଳକୁ କ୍ଲାସିକାଲରେ ହିଁ ସମାପ୍ତ କରିବାକୁ ପଡିବ’। ତେବେ ଖେଳ ୩୦ତମ ଚାଲରେ ଡ୍ର ରେ ବଦଳି ଯାଇଥିଲା।