କିଏ କରୁଛି ବିଧାନସଭା ଅଚଳ ? ଗୃହରେ କାହିଁକି ହୋଇପାରୁନି ଆଲୋଚନା ? ପାଣିରେ ପଡ଼ୁଛି କୋଟି କୋଟି ଟଙ୍କା

NEWS7
govt-will-provide-high-school-certificates-online

ଭୁବନେଶ୍ଵର: ୫ ଦିନ ହେଲା ଚାଲି ପାରୁନି ବିଧାନସଭା। ଚାଷୀ ଓ ଚାଷ ପ୍ରସଙ୍ଗରେ ବାରମ୍ବାର ଗୃହ ଅଚଳ ହେଉଛି। ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ବଢିଲାଣି । ପ୍ରଶ୍ନ ଉଠୁଛି ପ୍ରକୃତରେ କିଏ ବିଧାନସଭାକୁ ଅଚଳ କରୁଛି । ନା’ ପ୍ରଶ୍ନ କାଳ ନା’ ଶୂନ୍ୟକାଳ କି ମୂଲତବୀ କେଉଁଥିରେ ବି ଚାଷୀଙ୍କ ସମସ୍ୟା ଆଲୋଚନା ହୋଇପାରୁନି ।ସେପଟେ ଚାଷୀ ପ୍ରସଙ୍ଗକୁ ଇସ୍ୟୁ କରି କାଲି ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛି । ବିଜେପି କହିଛି ଏହାର କିଛି ପ୍ରଭାବ ପଡିବନାହିଁ ।

କିଏ କରୁଛି ବିଧାନସଭା ଅଚଳ ? ଗୃହରେ କାହିଁକି ହୋଇପାରୁନି ଆଲୋଚନା ? କେତେବେଳେ ଗୃହ ୩ ମିନିଟ୍ ଚାଲୁଛି ତ କେତେବେଳେ ୫ ମିନିଟ୍ । ଲଗାତାର ୫ ଦିନ ଧରି ବିଧାନସଭାରେ ଶାସକ-ବିରୋଧୀ ମୁଁହା ମୁହିଁ ସ୍ଥିତିରେ ଥିବାରୁ ଜାରି ରହିଛି ଅଚଳାବସ୍ଥା । ପ୍ରଶ୍ନ କାଳ, ଶୁନ୍ୟକାଳ ଠାରୁ ମୁଲତବୀ ଯାଏ ସବୁ କାର୍ଯ୍ୟକ୍ରମ ଠପ୍। ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହୋଇପାରୁ ନାହିଁ। ସେପଟେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ପାଣିରେ ପଡୁଛି।

ବିଜେଡି କହିଛି, ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ ହେଉ। ଆଉ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ। ଏହା ନ ହେଲେ ଗୃହ ଚଳାଇ ଦେବୁ ନାହିଁ ବୋଲି ବିଜେଡି କହିଛି ।କଂଗ୍ରେସ କହିଛି, ବିଧାନସଭାରେ ଆଲୋଚନାକୁ ରାଜ୍ୟବାସୀ ଓ ଚାଷୀମାନେ ଅପେକ୍ଷା କରି ରଖିଛନ୍ତି । କିନ୍ତୁ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡି ଗୃହରେ ଆଲୋଚନା ପାଇଁ ଚାହୁଁ ନାହାନ୍ତି କହି ଉଭୟଙ୍କ ଉପରେ ବର୍ଷିଛି କଂଗ୍ରେସ । ବିଜେପି କହିଛି ଆଲୋଚନାକୁ ବିରୋଧି ଡରୁଥିବାରୁ ଗୃହକୁ ଅଚଳ କରୁଛନ୍ତି ।

ସେପଟେ ଚାଷ ଓ ଚାଷୀ ପ୍ରସଙ୍ଗରେ କାଲି ରାଜଧାନୀରେ ଗର୍ଜନ କରିବ ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଲୋୟର ପିଏମଜିରେ ରାଜରାସ୍ତାକୁ ଓହ୍ଲାଇବ । ବିଜେପି କହିଛି ଏହାର କୈଣସି ପ୍ରଭାବ ପଡିବ ନାହିଁ । ଚାଷୀଙ୍କ ପାଇଁ ସବୁ ଦଳ କଥା କଥାରେ ଦରଦ ଦେଖାଇବାକୁ ଭୁଲୁନାହାଁନ୍ତି ।କିନ୍ତୁ ବିଧାନସଭାରେ ଚାଷୀ ସମସ୍ୟା ଆଲୋଚନା କିପରି ହେବ ସେନେଇ କେହି ସିରିୟସ ଥିବା ମନେହେଉନାହିଁ । ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ପ୍ରକୃତରେ ଚାଷୀଙ୍କ ଉନ୍ନତି କଥା କିଏ ଚିନ୍ତା କରୁଛି ।