ଭେନେଜୁଏଲା ତେଲକୁ ନେଇ ରୁଷ-ଆମେରିକା ମୁହାଁମୁହିଁ: ତୈଳ ଟ୍ୟାଙ୍କରକୁ ଜବତ କରିବା ପରେ କ୍ରେମଲିନର ଚେତାବନୀ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

NEWS7
govt-made-mockery-of-mulayam-singh-by-conferring-padma-vibhushan

ନୂଆଦିଲ୍ଲୀ: ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ ବିଶ୍ୱ। ଦୁଇ ସୁପରପାଓ୍ୱାର ମୁହାଁମୁହିଁ। ଆମେରିକାର ଆକ୍ସନକୁ ନେଇ ଋଷ ମୁଣ୍ଡ ଗରମ। ଋଷ ତେଲ ଟ୍ୟାଙ୍କରକୁ ଜବତ କରିବା ପରେ ସ୍ଥିତି ଭୟଙ୍କର। କ୍ରେମଲିନର ଚେତାବନୀରେ ଟ୍ରମ୍ପଙ୍କ ବଢ଼ିଲା ଟେନସନ। ସୀମାପାର ହେଲାଣି ଆମେରିକାର ଔଦ୍ଧତ୍ୟ। ଟ୍ରମ୍ପ ମନମୁଖୀ ଶାସନକୁ ନେଇ ବିଶ୍ୱବ୍ୟାପୀ ରାଜନୈତିକ ହଇଚଇ ସୃଷ୍ଟି କରିଛି। ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରିବା ପରେ ଓ୍ୱାଶିଂଟନର ବାଚାଳାମି ସେତିକିରେ କମିନି। ସିଧା ଋଷକୁ ଟାର୍ଗେଟ୍। ତେଲ ଟ୍ୟାଙ୍କରକୁ ଜବତ କରିଛି ଆମେରିକୀୟ ସେନା। ଉତ୍ତର ଆଟଲାଣ୍ଟିକ ମହାସାଗରରେ ସପ୍ତାହ ଧରି ପିଛା କରିବା ପରେ ଶେଷରେ ଆମେରିକା ରୁଷ ପତାକା ଥିବା ତେଲ ଟ୍ୟାଙ୍କର୍ "ମାରିନେରା"କୁ ଜବତ କରିଛି। ଏହି ଅଏଲ ଟ୍ୟାଙ୍କରକୁ ସୁରକ୍ଷା ଦେଉଥିଲେ ଋଷର ଯୁଦ୍ଧପୋତ। ଏବେ ପୁଟିନ କେଉଁ ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର।

କେବଳ ଏହି ଗୋଟିଏ ନୁହେଁ, କାରିବିଆନ ସାଗରରେ ମଧ୍ୟ ଭେନେଜୁଏଲାରୁ ଆସୁଥିବା ଏକ ତେଲ ଟ୍ୟାଙ୍କରକୁ ଅଟକାଇଛି ଆମେରିକା ତଟରକ୍ଷୀ ବାହିନୀ। ଏନେଇ ସୂଚନା ଦେଇଛନ୍ତି ଆମେରିକାର ଗୃହ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ। ଏହାକୁ ଘୋଷ୍ଟ ଫ୍ଲିଟ୍ ଅବୈଧ ବ୍ୟାପାରରେ ଲିପ୍ତ ଜାହାଜ ବିରୁଦ୍ଧରେ ଏକ ବଡ଼ ଆଘାତ ବୋଲି ସେ କହିଛନ୍ତି।ସଚିବ କ୍ରିଷ୍ଟି ନୋଏମଙ୍କ ଅନୁଯାୟୀ, ଆମେରିକା ତଟରକ୍ଷୀ ବାହିନୀ ବଡ଼ ଅପରେସନ୍ କରିଥିଲା।

ପ୍ରଥମ ଟ୍ୟାଙ୍କର, ମୋଟର ଟ୍ୟାଙ୍କର ବେଲା-I, ଉତ୍ତର ଆଟଲାଣ୍ଟିକରେ ଜବତ କରାଯାଇଥିଲା। ଅନ୍ୟଟି ମୋଟର ଟ୍ୟାଙ୍କର ସୋଫିଆ, କାରିବିଆନର ଅନ୍ତର୍ଜାତୀୟ ଜଳସୀମାରେ ଜବତ କରାଯାଇଥିଲା। ଉଭୟ ଜାହାଜ ସମ୍ପ୍ରତି ଭେନେଜୁଏଲାରେ ଡକିଂ କରିଥିଲା କିମ୍ବା ଚୋରା ତେଲ ନେଇ ସେଠାକୁ ଯାଉଥିଲା ବୋଲି ସେ କହିଛନ୍ତି। ଟ୍ୟାଙ୍କରଟି ପୂର୍ବରୁ ଆମେରିକାର ସାମୁଦ୍ରିକ ଅବରୋଧକୁ ଚକମା ଦେଇ ଚାଲିଯାଇଥିଲା। ଏହାପରେ ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜରେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଥିଲେ ବି ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲା ଋଷ ତୈଳ ଟ୍ୟାଙ୍କରରେ ଥିବା ଅଧିକାରୀ।ଆମେରିକାର ୟୁରୋପୀୟ କମାଣ୍ଡ କହିଥିଲେ ଯେ ଭେନେଜୁଏଲାର ତୈଳ ବାଣିଜ୍ୟରେ ନିୟୋଜିତ ରୁଷୀୟ ଟ୍ୟାଙ୍କର୍ "ମାରିନେରା"କୁ ଆମେରିକୀୟ ସେନା ଏବଂ ତଟରକ୍ଷୀ ବାହିନୀର ମିଳିତ ଅଭିଯାନରେ ଜବତ କରାଯାଇଛି।

ପ୍ରତିବନ୍ଧକ ଉଲ୍ଲଂଘନ ପାଇଁ ଫେଡେରାଲ୍ କୋର୍ଟର ୱାରେଣ୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛି ଆମେରିକା। ରୁଷ ନୌସେନାର ଏକ ବୁଡ଼ାଜାହାଜ ଏବଂ ଅନେକ ଯୁଦ୍ଧଜାହାଜ ଆଇସଲ୍ୟାଣ୍ଡ ନିକଟବର୍ତ୍ତୀ ଜଳସୀମାରେ ମୁତୟନ କରାଯାଇଥିଲା। ଏହା ସତ୍ତ୍ୱେ ବି ଆଟଲାଣ୍ଟିକ ମହାସାଗରରେ ଋଷ ତେଲ ଟ୍ୟାଙ୍କରକୁ ଅଟକାଇଛି ଆମେରିକା।ସବୁଠୁ ବଡ଼ କଥା ହେଲା ଆମେରିକାର ଏହି ଅପରେସନରେ ବ୍ରିଟିଶ ସରକାର ଖୋଲା ଓ ଗୁରୁତ୍ୱପୂର୍ଣ୍ଣ ସାହାଯ୍ୟ କରିଥିଲେ। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ମିଶନକୁ ଆମେରିକୀୟ ତଟରକ୍ଷୀ ବାହିନୀ ଏବଂ ଆମେରିକୀୟ ସେନା ମିଳିତ ଭାବରେ କରିଥିଲେ। ଏହି ଅପରେସନ ସୁରୁଖୁରର କରାଇବାକୁ ବ୍ରିଟେନ ନିଜ ଲଞ୍ଚପ୍ୟାଡ୍ ବ୍ୟାବହାର କରିବାକୁ ଆମେରିକା ସେନାକୁ ଦେଇଥିଲା। ଟ୍ୟାଙ୍କରକୁ ଧରିବା ମିଶନ ପାଇଁ ବ୍ରିଟିଶ ବାୟୁସେନା ଘାଟି ବ୍ୟବହାର କରାଯାଇଥିଲା। ରୁଷିଆ ଟ୍ୟାଙ୍କରଟି ଆଇସଲ୍ୟାଣ୍ଡ ଏବଂ ବ୍ରିଟେନ ମଧ୍ୟରେ ଜଳ ସୀମା ଦେଇ ଗତି କରୁଥିବା ସମୟରେ, ୟୁକେର ରୟାଲ ଏୟାର ଫୋର୍ସ (RAF) ନିରୀକ୍ଷଣ ବିମାନ ନିରନ୍ତର ଏହାର ଗତିବିଧି ଉପରେ ନଜର ରଖିଥିଲା ଏବଂ ଆମେରିକୀୟ ସେନା ସହିତ ସଠିକ୍ ସୂଚନା ବାଣ୍ଟିଥିଲା।

ଆମେରିକାର ଅପରେସନ ଏକ ଗମ୍ଭୀର ଭୂରାଜନୈତିକ ସମସ୍ୟା ସୃଷ୍ଟି କରିଛି। ରୁଷ ନୌସେନା ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ମଧ୍ୟ ସେହି ଅଞ୍ଚଳରେ ଉପସ୍ଥିତ ଥାଇ ଆମେରିକାର ଏଭଳି ପଦକ୍ଷେପକୁ ନେଇ ତାତିଛି ଋଷ। ଏହାକୁ ନେଇ କଡ଼ା ବୟାନ ଦେଇଛି କ୍ରେମଲିନ୍। କହିଛି- ଋଷୀୟ ଅଧିକାରୀଙ୍କୁ ତୁରନ୍ତ ସୁରକ୍ଷିତ ପଠାଅ।ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଗିରଫ କରିବା ପରେ ସାରା ବିଶ୍ୱରେ ଉତ୍ତେଜନା ଦେଖା ଦେଇଛି। ଡ୍ରଗ୍ସ ଚାଲାଣ ବାହାନା କିନ୍ତୁ ତୈଳ ଭଣ୍ଡାର ଉପରେ ଟ୍ରମ୍ପଙ୍କ ଆଖି। ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାରକୁ ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଭେନେଜୁଏଲା ଅଭିଯୋଗ କରିଛି। ଭେନେଜୁଏଲା ତୈଳ ବିକ୍ରୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ' ନିୟନ୍ତ୍ରଣ କରିବ କହିସାରିଛି ଓ୍ୱାଶିଂଟନ। ଆମେରିକା-ଋଷ ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବୈଦେଶିକ ବିଶେଷଜ୍ଞ। କହିଛନ୍ତି- ଦୁଇ ପରମାଣୁ କ୍ଷମତା ସମ୍ପନ୍ନ ମଧ୍ୟରେ ଏଭଳି ଉତ୍ତେଜନା ଆଦୌ ଶୁଭଙ୍କର ନୁହେଁ। ଆମେରିକାର ଏଭଳି ଆକ୍ସନ ବିଶ୍ୱକୁ ଦୁଃସ୍ଥିତି ଆଡ଼କୁ ନେଇଯିବ।