କାମ ସନ୍ଧାନରେ ଆସିଥିଲୁ, ଏବେ ବଙ୍କର ଖୋଜୁଛୁ; ଗଲ୍ଫ ଦେଶରେ ଫସିଥିବା ଭାରତୀୟଙ୍କ କରୁଣ ପରିସ୍ଥିତି

NEWS7
govt-made-mockery-of-mulayam-singh-by-conferring-padma-vibhushan

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଜଳୁଛି । ଆକାଶମାର୍ଗ ବନ୍ଦ । ଚାଲିଥିବା ସଂଘର୍ଷ ମଧ୍ୟରେ ହଜାର ହଜାର ଭାରତୀୟ ପର୍ଯ୍ୟଟକ, ଛାତ୍ର ଏବଂ ଶ୍ରମିକ ଫସି ରହିଛନ୍ତି। ଗଲ୍ଫ ଦେଶରେ ଫସି ରହିଥିବା ଭାରତୀୟ ସ୍ବଦେଶ ଫେରିବାକୁ ବ୍ୟାକୁଳ ହେଉଛନ୍ତି । ସେମାନେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବୈଦେଶିକ ମନ୍ତ୍ରଣାଳୟ (MEA)କୁ ଅନୁରୋଧ କରିଛନ୍ତି । ପ୍ରଭାବିତ ଦେଶଗୁଡ଼ିକରେ ଥିବା ଭାରତୀୟମାନଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଏମଇଏ । ଜରୁରୀକାଳୀନ ପରିସ୍ଥିତି, ସୁରକ୍ଷା ଏବଂ ସ୍ଥାନାନ୍ତର ସଂପର୍କିତ ପ୍ରଶ୍ନର ଜବାବ ଲାଗି ଏହି ନମ୍ବର ସହାୟକ ହେବ ।

ଦୁବାଇରେ ଫସି ରହିଥିବା ଜଣେ ଶ୍ରମିକ ଇନଷ୍ଟାରେ ଭିଡିଓ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ‘ମୁଁ ଏଠାକୁ ଜୀବିକା ପାଇଁ ଆସିଥିଲି, କିନ୍ତୁ ମୁଁ ଏବେ ବୋମାରୁ ରକ୍ଷା ପାଇବାକୁ ଆଶ୍ରୟସ୍ଥଳ ଖୋଜୁଛି। ମୁଁ ମୋଦି ଜୀ ଏବଂ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ, ଆମକୁ ଏଠାରୁ ଉଦ୍ଧାର କରନ୍ତୁ ।’ଦୁବାଇ ଏବଂ ଆବୁଧାବିରେ ମଧ୍ୟ ପର୍ଯ୍ୟଟକ ଫସି ରହିଛନ୍ତି । ମଧ୍ୟପ୍ରାଚ୍ୟରେ ଏମବିଏ ଏବଂ ଡାକ୍ତରୀ ଛାତ୍ରମାନେ ମଧ୍ୟ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାରତ ସରକାରଙ୍କଠାରୁ ସାହାଯ୍ୟ ମାଗୁଛନ୍ତି। ମଧ୍ୟପ୍ରାଚ୍ୟରେ ୯ ନିୟୁତରୁ ଅଧିକ ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ । ଯେଉଁମାନେ ଜୀବିକା ଖୋଜିବା ପାଇଁ ଉପସାଗରୀୟ ଦେଶଗୁଡ଼ିକୁ ଯାଇଥିଲେ ।

ଦୁବାଇ ଭଳି ବିଶ୍ୱର ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ କ୍ଷେପଣାସ୍ତ୍ର ବର୍ଷା ହୋଇଛି । ବାହାରିନ, ଇରାକ, ଜୋର୍ଡାନ, କୁଏତ, ଓମାନ, କତାର, ସାଉଦି ଆରବ, ୟୁଏଇରେ ସାଇରନ ବାଜୁଥିବାରୁ ପ୍ରବାସୀମାନଙ୍କୁ ଭୟ ଘାରିଛି। ଇରାନରେ ଥିବା ଭାରତୀୟ ଛାତ୍ରମାନେ, ବିଶେଷକରି ତେହେରାନର ଡାକ୍ତରୀ ଛାତ୍ରମାନେ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି। ଜଣେ ଛାତ୍ରୀ କହିଛନ୍ତି, ‘ମୁଁ ଜଣେ ଭାରତୀୟ ଛାତ୍ରୀ ଏବଂ ବର୍ତ୍ତମାନ ମୁଁ ତେହେରାନରେ ଅଛି। ଏଠାରେ ପରିସ୍ଥିତି ବହୁତ ଖରାପ । ଆମେ ପ୍ରକୃତରେ ଜାଣିନାହୁଁ ଯେ, ଆଗକୁ କ'ଣ ହେବ। ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟ ଆମ ସୁରକ୍ଷା ପାଇଁ ଆଲୋଚନା କରୁଛନ୍ତି । ଆମେ ପ୍ରକୃତରେ କୃତଜ୍ଞ। କିନ୍ତୁ ଏପରି ସମୟରେ, ଯାଆସ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ. । ଆକ୍ରମଣ ଜାରି ରହିଛି ଏବଂ ଏହା ଆମ ପାଇଁ ପ୍ରକୃତରେ ଖରାପ ସମୟ । ଆମେ ଯଥାଶୀଘ୍ର ଫେରି ଯିବାକୁ ଅନୁରୋଧ କରୁଛୁ ।’