ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାରଙ୍କ ବଡ଼ ଭେଟି , ଉଜ୍ଜ୍ୱଳା ପାଇଁ ୧୨୦୬୦ କୋଟି ଟଙ୍କାର ଅନୁମୋଦନ

Published By : Prameya-News7 Bureau | August 08, 2025 IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପାଇଁ କେନ୍ଦ୍ର କ୍ୟାବିନେଟ୍ ୧୨୦୬୦ କୋଟି ଟଙ୍କା ଅନୁମୋଦନ କରିଛି। ୨୦୧୬ ମସିହାରେ ଆରମ୍ଭ ହୋଇ ଥିବା ଏହି ଯୋଜନା ଅଧୀନରେ, ୧୦କୋଟିରୁ ଅଧିକ ହିତାଧିକାରୀଙ୍କୁ ସାଧାରଣ ଗ୍ରାହକଙ୍କ ତୁଳନାରେ ୩୦୦ଟଙ୍କା ଶସ୍ତାରେ ଏଲପିଜି ସିଲିଣ୍ଡର ମିଳୁଛି। ଦେଶର ରାଜଧାନୀ ଦିଲ୍ଲୀରେ, ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କା। ଏଠାରେ, ଉଜ୍ଜ୍ୱଳା ଯୋଜନା ଅଧୀନରେ, ହିତାଧିକାରୀଙ୍କୁ ୩୦୦ଟଙ୍କା ସବିସିଡି ସହ ୫୫୩ ଟଙ୍କାରେ ଏଲପିଜି ସିଲିଣ୍ଡର ଦିଆଯାଏ। କହି ରଖୁଛୁ କି, ସିଲିଣ୍ଡରର ଦାମ୍‌ ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ହୋଇ ପାରେ। 

ଗତ ୧ମେ’ର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ( ପିଏୟୁୱାଇ)ର ୯ବର୍ଷ ପୂରା ହୋଇ ଯାଇଛି। ମେ' ୨୦୧୬ରେ ଆରମ୍ଭ ହୋଇ ଥିବା ପିଏମୟୁୱାଇ ଯୋଜନାର ହିତାଧିକାରୀଙ୍କୁ ୧୪.୨କିଲୋଗ୍ରାମର ଏଲପିଜି ସିଲିଣ୍ଡର ଉପରେ ବର୍ଷକରେ ସର୍ବାଧିକ ୯ଥର ରିଫିଲ ପାଇଁ ୩୦୦ ଟଙ୍କାର ସବସିଡି ମିଳିବ, ଯେତେବେଳେ ୫ କିଲୋଗ୍ରାମ୍ ସିଲିଣ୍ଡର ଉପରେ ଏକ ସମାନୁପାତିକ ଲାଭ ମିଳିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ନିମ୍ନ ଆୟକାରୀ ପରିବାର ଗୁଡ଼ିକ ପାଇଁ ଏଲପିଜିକୁ ଆହୁରି ଅଧିକ ସୁଲଭ କରିବା ଏବଂ ବିଶ୍ୱ ଦରରେ ପରିବର୍ତ୍ତନ ସତ୍ତ୍ୱେ ଏହାର ନିରନ୍ତର ବ୍ୟବହାର ସୁନିଶ୍ଚିତ କରିବା।

ଏହି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ଅଣ୍ଡର ରିକଭରି ପାଇଁ ତିନୋଟି ସାର୍ବଜନିକ କ୍ଷେତ୍ରର ତୈଳ ବିପଣନ କମ୍ପାନୀଙ୍କୁ (ଓଏମସି) ୩୦,୦୦୦ କୋଟି ଟଙ୍କାର ସରକାରୀ ସାହାଯ୍ୟକୁ ଅନୁମୋଦନ ଦେଇଛନ୍ତି। ଏହି ସାର୍ବଜନିକ କ୍ଷେତ୍ରର କମ୍ପାନୀ ଗୁଡ଼ିକ ଇଣ୍ଡିଆନ ଅଏଲ କର୍ପୋରେସନ , ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ରହିଛି। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ସପୋର୍ଟ ବର୍ତ୍ତମାନର ଜିୟୋ ପଲିଟିକ୍ସ ଆଉଟଲୁକ୍‌ ବ୍ୟତୀତ ତୈଳ ଓ ଗ୍ୟାସ୍‌ କ୍ଷେତ୍ରର ଅନିଶ୍ଚିତତା ଗୁଡ଼ିକୁ ଧ୍ୟାନରେ ରଖି ଦିଆ ଯାଇଛି। 

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଜଦ୍ୱାରା ତୈଳ କମ୍ପାନୀ ଗୁଡ଼ିକ ମଧ୍ୟରେ କ୍ଷତି ପୂରଣ ବଣ୍ଟନ କରାଯିବ। ସରକାର କହିଛନ୍ତି ଯେ, କ୍ଷତିପୂରଣ ୧୨ଟି କିସ୍ତିରେ ପ୍ରଦାନ କରାଯିବ। ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁସାରେ, ୨୦୨୪-୨୫ ସୁଦ୍ଧା ଏଲପିଜିର ଆନ୍ତର୍ଜାତିକ ମୂଲ୍ୟ ଅଧିକ ରହିଛି। ଉପଭୋକ୍ତାଙ୍କ ଉପରେ ମୂଲ୍ୟ ପରିବର୍ତ୍ତନର ବୋଝ ନଲଦିବା ପାଇଁ ତୈଳ ବିପଣନ କମ୍ପାନୀ ଗୁଡ଼ିକୁ ଖୁବ୍‌ କ୍ଷତି ସହିବାକୁ ପଡ଼ିଛି। ଏହା ସତ୍ତ୍ୱେ ତୈଳ ବିପଣନ କମ୍ପାନୀଗୁଡ଼ିକ ଦେଶରେ ଶସ୍ତା ଦାମ୍‌ରେ ଘରୋଇ ଏଲପିଜିର ନିରନ୍ତର ସପ୍ଲାଇ ସୁନିଶ୍ଚିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.