ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆୟକର ବିଲ୍ ୨୦୨୫କୁ ପ୍ରତ୍ୟାହାର କରିନେଇଛନ୍ତି । ୨୦୨୫ ଫେବୃଆରୀ ୧୩ରେ ଲୋକସଭାରେ ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧ର ସ୍ଥାନ ନେବା ପାଇଁ ଏହି ବିଲ୍କୁ ଆଗତ କରାଯାଇଥିଲା । ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଦ୍ୱାରା କରାଯାଇଥିବା ଅଧିକାଂଶ ସୁପାରିଶକୁ ସାମିଲ କରି ନୂତନ ଆୟକର ବିଲ୍କୁ ଅଗଷ୍ଟ ୧୧ ସୋମବାର ଆଗତ କରାଯିବ ।
ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଆୟକର ବିଲ୍, ୨୦୨୫କୁ ୬୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତର ପ୍ରତ୍ୟକ୍ଷ ଟିକସ ଆଇନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି କୁହାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ୨୯୮-ଧାରାର ଆୟକର ଆଇନ, ୧୯୬୧କୁ ସରଳ ଭାଷାରେ ଲିଖିତ ଏକ ଆଧୁନିକ, କରଦାତା-ଅନୁକୂଳ ଆଇନରେ ପରିଣତ କରିବା । ଯାହା ବର୍ତ୍ତମାନର ଆଇନ ଅପେକ୍ଷା ପ୍ରାୟ ୫୦ ପ୍ରତିଶତ ଛୋଟ । ଲୋକସଭାରେ ଆଗତ ହେବା ପରେ ବିଧେୟକ ଉପରେ ଅଧିକ ବିଚାର-ବିମର୍ଶ କରିବା ପାଇଁ ସଂସଦର ସ୍ଥାୟୀ ସମିତିକୁ ପଠାଯାଇଥିଲା । ନୂତନ ଆୟକର ବିଲ୍ ୨୦୨୬ ଏପ୍ରିଲ୍ ୧ରେ ଲାଗୁ ହେବା ନେଇ ଆଶା କରାଯାଉଥିଲା ।
ଲୋକସଭାରେ ଆଗତ ହୋଇଥିବା ଆୟକର ବିଲ୍ରେ ସାଧାରଣ ଲୋକଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ସହ ଜଡ଼ିତ ନିୟମକୁ ଅଧିକ ସରଳ ଏବଂ ସୁଲଭ କରାଯାଇଛି ବୋଲି ସରକାର ସେତେବେଳ କହିଥିଲେ । ନୂଆ ବିଲ୍ରେ ମୋଟ ୫୩୬ ଧାରା ପ୍ରସ୍ତାବିତ କରାଯାଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ବେଳେ ନୂଆ ଆୟକର ଆଇନ ଆସିବା ନେଇ ଘୋଷଣା କରିଥିଲେ ।
ସରକାର କହିଥିଲେ, ନୂଆ ବିଲ୍ର ଉଦ୍ଦେଶ୍ୟ କଠିନ ଶବ୍ଦ ଏବଂ ଆବଶ୍ୟକ ନଥିବା ଆଇନକୁ ହଟାଇ, ଛୋଟ ଏବଂ ସରଳ କରିବା । ଉଦାହରଣ ପାଇଁ ଏଥିରେ 'ଟ୍ୟାକ୍ସ ଇୟର' ନାଁରେ ଏକ ନୂଆ ଶବ୍ଦ ବ୍ୟବହାର କଥା ଉଲ୍ଲେଖ ରହିଥିଲା, ଯାହା 'ପ୍ରିଭିୟସ୍ ଇୟର' ଏବଂ 'ଆସେସମେଣ୍ଟ ଇୟର' ପରି ଜଟିଳ ଶବ୍ଦକୁ ସ୍ଥାନ ନେଇଥାନ୍ତା ।
ବିଲ୍ରେ ମୋଟ ୬୨୨ ପୃଷ୍ଠା ରହିବ ବୋଲି ଜଣାପଡ଼ିଥିଲା । ଏଥିରେ ୫୩୬ ଧାରା, ୨୩ ଚାପ୍ଟର ଏବଂ ୧୬ ଅନୁସୂଚୀକୁ ସାମିଲ କରାଯାଇଥିଲା । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍ ୧୯୬୧ରେ ମୋଟ ୮୮୦ ପୃଷ୍ଠା ରହିଛି । ଏହା ସହ ଆୟକର ଅଧିନିୟମ ୧୯୬୧ରେ ଅନେକ ଥର ବ୍ୟବହାର କରାଯାଇଥିବ ଶବ୍ଦ ‘ବାବଜୁଦ’କୁ ନୂଆ ବିଧେୟକରୁ ହଟାଯାଇଛି ଏବଂ ଏହା ସ୍ଥାନରେ ପ୍ରାୟ ସବୁ ସ୍ଥାନରେ ‘ଅପରିହାର୍ଯ୍ୟ’ ଶବ୍ଦ ବ୍ୟବହାର କରାଯାଇଛି ବୋଲି କୁହାଯାଇଥିଲା ।