ଗାନ୍ଧିନଗର ୧୦।୭: ଗୁଜରାଟ ବଡୋଦରା ପୋଲ ଭୁଶୁଡିପଡିବା ଘଟଣାରେ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୁରୁବାର ଯାଞ୍ଚ ଟିମ୍ ର ପ୍ରାରମ୍ଭିକ ରିପୋର୍ଟ ଆଧାରରେ ୪ ଜଣ ଇଞ୍ଜିନିୟରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ସଡ଼କ ଓ ଭବନ ବିଭାଗର ଜଣେ ଏକଜ୍ୟୁକୁଟିଭ ଇଞ୍ଜିନିୟର ଥିବା ବେଳେ ୨ ଜଣ ଡେପୁଟି ଏକଜ୍ୟୁକୁଟିଭ ଇଞ୍ଜିନିୟର ଏବଂ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ତତ୍କାଳ ପ୍ରଭାବରେ ଚାକିରୀରୁ ନିଲମ୍ବନ କରାଯାଇଛି।
ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଏବେ ୧୫କୁ ପହଞ୍ଚିଥିବା ପୁଷ୍ଟି କରାଯାଇଛି। ବୁଧବାର ପୂର୍ବାହ୍ନ ୭ଟା ୪୫ ମିନିଟରେ ବଡୋଦରା ଓ ଆଣନ୍ଦକୁ ସଂଯୁକ୍ତ କରୁଥିବା ଗମ୍ଭୀରା ବ୍ରିଜ ମଝିରୁ ଭାଙ୍ଗି ପଡିଥିଲା। ଏହି ପୋଲଟି ମହିସାଗର ନଦୀ ଉପରେ ରହିଛି। ଏହି ଦୁର୍ଘଟଣାରେ ୭ଟି ବାହନ ନଦୀକୁ ଖସିପଡିଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୁଜପୁର-ଗମ୍ଭୀରା ପୋଲର ଏ ପର୍ଯ୍ୟନ୍ତ ମରାମତି, ନିରୀକ୍ଷଣ ଓ ମାନ ଯାଞ୍ଚର ଏକ ରିପୋର୍ଟ ପ୍ରସ୍ତୁତି ପାଇଁ ଏକ ବିଶେଷଜ୍ଞ ଟିମକୁ ଦାୟିତ୍ୱ ଦେଇଥିଲେ।
ବିଶେଷଜ୍ଞ ଟିମ୍ ଦୁର୍ଘଟଣା ସ୍ଥଳକୁ ଗସ୍ତ କରି ଦୁର୍ଘଟଣାର କାରଣ ପ୍ରାରମ୍ଭିକ ଯାଞ୍ଚ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ନିମନ୍ତେ ଦାୟି ଅଧିକାରୀ ଏନ.ଏମ.ନାୟକଭାଲା (ଏକଜ୍ୟୁକୁଟିଭ ଇଞ୍ଜିନିୟର),ୟୁ.ସି.ପଟେଲ (ଡେପୁଟି ଏକଜ୍ୟୁକୁଟିଭ ଇଞ୍ଜିନିୟର), ଆର.ଟି. ପଟେଲ (ଡେପୁଟି ଏକଜ୍ୟୁକୁଟିଭ ଇଞ୍ଜିନିୟର) ଓ ଜେ.ଭି. ଶାହ (ଆସିଷ୍ଟାଣ୍ଟ ଇଞ୍ଜିନିୟର)ଙ୍କୁ ତତ୍କାଳ ପ୍ରଭାବରେ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନ୍ୟ ପୋଲ ଓ ସେତୁର ତତ୍କାଳ ଗହନ ନିରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମହିସାଗର ନଦୀ ଉପରେ ନିର୍ମିତ ପୋଲ ଭାଙ୍ଗିପଡିବା ଯୋଗୁ ଓ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ୫ ଜଣ ନିଖୋଜ ଥିବାର କୁହାଯାଉଛି। ଗୁରୁବାର ସକାଳଠାରୁ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଘଟଣାସ୍ଥଳରୁ ୪ କିଲୋମିଟର ଅଞ୍ଚଳରେ ତଲାସ ଅଭିଯାନ ଚଳାଇଛନ୍ତି। ସେହିପରି ନଦୀକୁ ଖସିପଡିଥିବା ବାହନଗୁଡିକର ଉଦ୍ଧାର ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୋଲ ଦୁର୍ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୬ ସଦସୀୟ ଉଚ୍ଚସ୍ତରୀୟ ଯାଞ୍ଚ ଟିମ୍ ଗଠନ କରିଛନ୍ତି।