ଭୁବନେଶ୍ବର ୧୯।୬: ଆସନ୍ତା ୨୦ ତାରିଖ ଦିନ ଭୁବନେଶ୍ବରରେ ସରକାରୀ ଅଫିସ୍ ଅଧା ଦିନ ଛୁଟି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସହରରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଭୁବନେଶ୍ବରରେ ତ୍ରିରଙ୍ଗା ଯାତ୍ରା ସହ ରୋଡ୍ ଶୋ' କରିବେ ପ୍ରଧାନମନ୍ତ୍ରୀ ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହଯାଇଛି ଯେ, ତା. ୨୦.୦୬.୨୦୨୫ ରିଖରେ ଜନତା ମଇଦାନ, ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଅଂଶଗ୍ରହଣ ନିମନ୍ତେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍ ସମସ୍ୟା ଉପୁଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉକ୍ତ ଦିବସର ଦ୍ବିତୀଆର୍ଦ୍ଧକୁ ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟ।ଳୟ ତଥା ରାଜସ୍ବ ଏବଂ ମାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ)କୁ ଆଗ୍ରହର ସହିତ ଛୁଟି ଘୋଷଣା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ।ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ବିଶାଳ ରୋଡ୍ ଶୋ’ରେ ଆସିବେ ପ୍ରଧାନମନ୍ତ୍ରୀ । ପାଖାପାଖି ୨ ଲକ୍ଷ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବେ । ଏୟାରପୋର୍ଟରୁ ଜନତା ମଇଦାନ ଭିତରେ ୨୮ଟି ସ୍ଥାନରେ ସ୍ବାଗତ ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନତା ମଇଦାନରେ ପହଞ୍ଚିବା ପରେ ୧୯ ହାଜର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ କାର୍ଡ ବାଣ୍ଟିବେ, ଲକ୍ଷପତି ଦିଦିଙ୍କୁ ଭେଟିବେ, ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଯୋଜନାରେ ଘର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ସେହିପରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
You Can Read: