ଗାଙ୍ଗଟକ୍ ୨।୬: ସିକ୍କିମ ସରକାର ଉତ୍ତର ସିକ୍କିମ ମଙ୍ଗନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ହୋଇଥିବା କ୍ଷତିକୁ ଅଧିକାରୀକ ରୂପେ ‘ବିପର୍ଯ୍ୟୟ’ ଘୋଷଣା କରିଛନ୍ତି। ସିକ୍କିମ ସରକାର ସୋମବାର ଏକ ଅଧିସୂଚନା ଜାରି କରି ଏହି ଘୋଷଣା କରିଛନ୍ତି। ଅଧିସୂଚନାରେ କୁହାଯାଇଛି ଯେ ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ଅଧ୍ୟକ୍ଷଙ୍କ ମଞ୍ଜୁରୀ ଓ ରାଜ୍ୟ କାର୍ଯ୍ୟକାରୀ କମିଟିଙ୍କ ସୁପାରିଶ ରେ ୨୮ ମେରୁ ମଙ୍ଗନ ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ହୋଇଥିବା କ୍ଷତିକୁ ଅଧିକାରୀକ ରୂପେ ବିପର୍ଯ୍ୟୟ ଘୋଷଣା କରାଯାଉଛି।
ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ୨୦୦୫ର ଧାରା ୨୨ର (୨)(ବି) ଅନୁସାରେ ଏହା ଘୋଷଣା କରାଯାଇଛି। ଲଗାଣ ବର୍ଷା ଯୋଗୁ ଉତ୍ତର ସିକ୍କିମର ଜନଜୀବନ ଗୁରୁତ୍ର ପ୍ରଭାବିତ ହୋଇଛି। ଉତ୍ତର ସିକ୍କିମକୁ ସଂଯୁକ୍ତ କରୁଥିବା ମୁଖ୍ୟ ସଡ଼କ ସମେତ ଅନ୍ୟ ଛୋଟଛୋଟ ସଡ଼କ ଭୂ-ସ୍ଖଳନ ଯୋଗୁ ପ୍ରଭାବିତ ହୋଇଛି। ୨୯ ମେ ରାତିରେ ହୋଇଥିବା ସଡ଼କ ଦୁର୍ଘଟଣାରେ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର ଅଭିଯାନ ମଧ୍ୟ ବର୍ଷା ଯୋଗୁ ପ୍ରଭାବିତ ହୋଇଛି।
ସେହିପରି ୧ ଜୁନ ରାତିରେ ମଙ୍ଗନ ଜିଲ୍ଲାର ଛାତେନସ୍ଥିତ ସେନା ଶିବିର ଉପରେ ବଜ୍ରପାତ ହୋଇଛି। ଏହା ଛଡା ସେନା ଛାଉଣୀରେ ହୋଇଥିବା ଭୂ-ସ୍ଖଳନ ଯୋଗୁ ଭାରତୀୟ ସେନାର ୩ ଜଣ ଜବାନ ପ୍ରାଣ ହରାଇଛନ୍ତି। ଏହି ପ୍ରାକୃତିକ ଦୁର୍ଘଟଣାରେ ଅନ୍ୟ ୬ ଜଣ ନିଖୋଜ ଥିବା ବେଳେ ସେମାନଙ୍କ ସନ୍ଧାନ ଅଭିଯାନ ଜାରି ରହିଛି।