ଭଲ ପ୍ରଦର୍ଶନ କଲେ ପୁରସ୍କୃତ କରାଯିବ, ଅବହେଳା କଲେ ଖୋଜି ଖୋଜି କାମରେ ଲଗାଯିବ

Published By : Prameya-News7 Bureau | June 02, 2025 IST

ଭୁବନେଶ୍ବର ୨ପ୍ରଶାସନକୁ ଅଧକ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି ।  ଏଣିକି ଯେଉଁ କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟରେ ଲଗାଯିବ । ଏଥିସହିତ ଯେଉଁମାନେ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରତିମାସରେ ‘ବେଷ୍ଟ କର୍ମଚାରୀ’ ପୁରସ୍କାର ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । 

ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଗତ ମେ' ୨୮ ତାରିଖରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି । ବିଭାଗ ପକ୍ଷରୁ ମଧୁସ୍ମିତା ସାମଲ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଏଣିକି ପ୍ରତ୍ୟେକ ବିଭାଗ ନିଜେ ନିଜେ ସ୍ଥିର କରିବ ଯେ କିଏ ହେବ ବେଷ୍ଟ କର୍ମଚାରୀ । ଏଥିପାଇଁ ୬ଟି ମାନଦଣ୍ଡକୁ ବିଭାଗ ପକ୍ଷରୁ ଧ୍ୟାନ ଦେବାକୁ ହେବ । ସେଥିମଧ୍ୟରେ ଯେଉଁ କର୍ମଚାରୀ ନିୟମିତ କାର୍ଯ୍ୟାଳୟ ଆସୁଥିବେ ଏବଂ ବାୟୋମେଟ୍ରିକ୍‌ରେ ତାଙ୍କ ଉପସ୍ଥାନ ପକାଉଥିବେ ।ଏହାସହ 'ଓସ୍ବାସ୍' ଜରିଆରେ ଅଧିକ ଫାଇଲ ପ୍ରେରଣ କରୁଥିବେ, ଯେଉଁଥିରେ କି ଗୁଣାତ୍ମକ ନଥିଗୁଡ଼ିକ ସାମିଲ ଥିବ ଡ୍ରାଫ୍ଟିଙ୍ଗର ମାନ ଠିକ୍ ଥିବ । ବିଶେଷ କରି ଡ୍ରାଫ୍ଟିଙ୍ଗ ଓଡ଼ିଆରେ ହୋଇଥିବ, ଆଇ-ଗଟ୍ ତାଲିମରେ ଯୋଡ଼ି ହୋଇଥିବେ । ଏସବୁ ଦିଗକୁ ତର୍ଜମା କରି ବିଭାଗ ପକ୍ଷରୁ ବେଷ୍ଟ କର୍ମଚାରୀ ପୁରସ୍କାର ଦେବା ପାଇଁ ସୁପାରିସ୍ ଆସିବା ଆବଶ୍ୟକ । 

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, କେତେ ଜଣ କର୍ମଚାରୀ ଯଥା ଏଏସ୍‌ଓ ଏବଂ ଏସ୍‌ଓମାନେ ସଂଖ୍ୟାଧିକ ନଥି ପ୍ରସ୍ତୁତ କରୁଥିବା ବେଳେ ଆଉ କେତେ ଜଣ ଗୋଟିଏ ଦୁଇଟିରେ ସୀମିତ ରହୁଛନ୍ତି । ଏଣିକି ସମ୍ପୃକ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟଭାରକୁ ସମାନୁପାତିକ ଭାବେ ବଣ୍ଟନ କରାଯିବ । ସମ୍ପୃକ୍ତ ବିଭାଗ ସମସ୍ତ କାର୍ଯ୍ୟକୁ ଏବେ ନିରୀକ୍ଷଣ କରିବ । କେଉଁ ଏଏସଓ ଏବଂ ଏସଓ କିଭଳି କାର୍ଯ୍ୟ କରୁଛନ୍ତି ତାହାର ଟିକିନିଖି ହିସାବ ସରକାରଙ୍କୁ ପ୍ରଦାନ କରିବାକୁ ପଡ଼ିବ । କେତେକ କ୍ଷେତ୍ରରେ ନଥି ସଚିବଙ୍କ ନିକଟରେ ପହଞ୍ଚିବା ବେଳକୁ ଏହା ୬ ପର୍ଯ୍ୟାୟ ଦେଇ ଯାଉଛି । ତେଣୁ ସରକାରଙ୍କୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି I ଏହି ପ୍ରକ୍ରିୟାକୁ ସରଳ ସହ ବ୍ୟବସ୍ଥିତ କରିବା ଲାଗି ଏଣିକି ତିନୋଟି ପର୍ଯ୍ୟାୟରେ ନଥି ସଚିବଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ସେଥିମଧ୍ୟରେ ପ୍ରଥମେ ଏଏସ୍‌ଓ ଏବଂ ଏସ୍‌ଓ ମାନେ ନଥି ପ୍ରସ୍ତୁତ କରିବେ । ଏହାପରେ ଡେସ୍କ ଅଫିସର/ଅନୁସଚିବ କିମ୍ବା ଉପସଚିବ ଅନୁଧ୍ୟାନ କରିବେ । ଶେଷରେ ଯୁଗ୍ମ ସଚିବ/ ଅତିରିକ୍ତ ସଚିବ କିମ୍ବା ସ୍ବତନ୍ତ୍ର ସଚିବ ଉକ୍ତ ନଥିକୁ ତଦାରଖ କରି ସଚିବଙ୍କୁ ପ୍ରେରଣ କରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

You Can Read:

ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ କଲେ ସୁରକ୍ଷାକର୍ମୀ, ମାଓବାଦୀ ଲୁଚାଇ ରଖିଥିବା ସୂଚନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.