ନୂଆଦିଲ୍ଲୀ: ଆମେରିକାର ଟାରିଫ ବୋମାରେ ସାରା ବିଶ୍ୱରେ ବଡ଼ଧରଣର ଭୂରାଜନୈତିକ ପରିବର୍ତ୍ତନ ଘଟୁଛି। ହେଲେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏସିଆ। ବିଶେଷକରି ଭାରତ ଓ ଚୀନ ସମ୍ପର୍କ। ଏହି ଦୁଇ ଦେଶର ସମ୍ପର୍କ ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଖୁବଶୀଘ୍ର ଏହି ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏନେଇ ରୟଟର୍ସ ଖବର ପ୍ରକାଶ କରିଛି। ଆସନ୍ତା ମାସରେ ଭାରତରୁ ଚୀନ ଓ ଚୀନରୁ ଭାରତ ସିଧାସଳଖ ବିମାନ ଉଡ଼ାଣ କରିପାରେ।
ରିପୋର୍ଟ ଅନୁସାରେ ଚୀନକୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେବାକୁ ଭାରତ ସରକାର ଘରୋଇ ବିମାନ କମ୍ପାନୀମାନଙ୍କୁ କହିଛନ୍ତି। କୋଭିଡ୍ ମହାମାରୀ ପରେ ଦୁଇ ଦେଶ ମଧ୍ୟରେ ଡାଇରେକ୍ଟ ବିମାନ ଉଡ଼ାଣ ବନ୍ଦ ରହିଥିଲା। ୨୦୨୦ ପୂର୍ବ ଲଦାଖ ସୀମାରେ ହୋଇଥିବା ସୈନ୍ୟ ସଂଘର୍ଷ ଦୁଇ ଦେଶର ସମ୍ପର୍କ ଖରାପ କରି ଦେଇଥିଲା।
ଏହାପରେ ଉଭୟ ପକ୍ଷରୁ ସୀମାରେ ସୈନ୍ୟ ମୁତୟନ କରିବା ସହିତ ପରସ୍ପରର ବ୍ୟବସାୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅନ୍ୟାନ୍ୟ ସମ୍ପର୍କି ଛିନ୍ନ ହୋଇଥିଲା। ତେବେ ସୀମା ବିବାଦର ସମାଧାନ ପାଇଁ ବାରମ୍ବାର ବୈଠକ ବସିବା ପରେ କେତେକ ସ୍ଥାନରେ ବିବାଦର ସମାଧାନ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଏବେ ବି ବିବାଦ ଲାଗି ରହିଛି।
ହେଲେ ଏବେ ଆମେରିକା ଋଷ ଓ ଭାରତକୁ ଟାର୍ଗେଟ୍ କରୁଥିବା ବେଳେ ଚୀନ ସହିତ ଏହାର ପୂର୍ବରୁ ଶତ୍ରୁତା ରହିଛି। ଭାରତକୁ ଆମେରିକା ଟାର୍ଗେଟ୍ କରିବା ପରେ ଭାରତ ସମର୍ଥନରେ ବାହାରିଛି ଚୀନ। ଏସବୁ ଦୃଶ୍ୟ ଦୁଇ ଦେଶର ସମ୍ପର୍କରେ ସୁଧାର ଆସିଥିବା ଇଙ୍ଗିତ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତିଆନଜିନ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ୨୦୧୯ ପରେ ତାଙ୍କର ପ୍ରଥମ ଚୀନ୍ ଯାତ୍ରା। ଚୀନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ସ୍ୱାଗତ କରିଛି। ଏହି ଶିଖର ସମ୍ମିଳନୀ "ସଂହତି, ବନ୍ଧୁତା ଏବଂ ଫଳପ୍ରଦ ଫଳାଫଳର ଏକ ସମାବେଶ" ହେବ ବୋଲି ଚୀନ ଆଶା ବ୍ୟକ୍ତ କରିଛି।