ନୂଆଦିଲ୍ଲୀ ୨୮।୭: ତୁର୍କି ଓ ସିରିୟା ସୀମାରେ ୬ଫେବୃଆରୀ ୨୦୨୩ରେ ଅନୁଭୂତ ହୋଇଥିବା ଭୀଷଣ ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା। ତେବେ ଗୁଗଲ ଭୂମିକମ୍ପ ଚେତାବନୀ ସଠିକ ସମୟରେ ଲୋକଙ୍କୁ ଆଲର୍ଟ ପଠାଇବାରେ ବିଫଳ ହୋଇଥିଲା। ଏହି ଭୂମିକମ୍ପ ଯୋଗୁ ତୁର୍କିରେ ୫୫ ଓ ସିରିୟାରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୮ ଓ ୭.୭ ଥିଲା।
ତେବେ ଏହି ପ୍ରାକୃତିକ ବିପର୍ଯ୍ୟକୁ ୨ ବର୍ଷ ପୁରିବା ପରେ ଭୂମିକମ୍ପ ଚେତାବନୀ ପ୍ରଣାଳୀ ଏହି ବିପର୍ଯ୍ୟୟ କାଳରେ ଲୋକଙ୍କୁ ସଠିକ ସମୟରେ ଚେତାବନୀ ପଠାଇବାରେ ବିଫଳ ହୋଇଥିଲା ବୋଲି ଗୁଗଲ ସ୍ୱୀକାର କରିଛି। ନିକଟରେ ବିବିସିରେ ପ୍ରସାରିତ ଏକ ରିପୋର୍ଟ ଅନୁସାରେ ଗୁଗଲର ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପାଖାପାଖି ୧ କୋଟି ଲୋକଙ୍କୁ ସଠିକ ଆଲର୍ଟ ପଠାଇବାରେ ବିଫଳ ହୋଇଥିଲା।
ଗୁଗଲର ଆଣ୍ଡ୍ରଏଡ ଆର୍ଥକ୍ୱେକ୍ ଆଲର୍ଟ ସିଷ୍ଟମ ଲକ୍ଷଲକ୍ଷ ମୋବାଇଲ ଫୋନରେ ଥିବା ସେନସରର ଉପଯୋଗ କରି ଭୂମିକମ୍ପ ଝଟକା ଅନୁମାନ କରିଥାଏ। ଏହି ପ୍ରଣାଳୀକୁ ଭୂମିକମ୍ପର ଧିମା ଗତି ଅନୁମାନ କରି ସଠିକ ସମୟରେ ସତର୍କତା ପଠାଇବା ଲାଗି ଡିଜାଇନ କରାଯାଇଛି। ଏହାର ସବୁଠୁ ଜରୁରି ଆଲର୍ଟ ଯାହାକୁ ‘କାର୍ଯ୍ୟାନୁଷ୍ଠାନ କରନ୍ତୁ’ ଆଲର୍ଟ କୁହାଯାଏ ଏକ ତୀବ୍ର ଆଲାର୍ମ ସହିତ ୟୁଜରଙ୍କ ‘ଡୁ ନଟ ଡିଷ୍ଟର୍ବ’ ସେଟିଂକୁ ଓଭରରାଇଡ କରିଥାଏ। ଏହି ଆଲର୍ଟ ଲୋକଙ୍କୁ ଭୂମିକମ୍ପ ପ୍ରଭାବ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପହଞ୍ଚିବା ଲାଗି ୩୫ ସେକେଣ୍ଡ ସମୟ ଦେଇଥାଏ।
ତେବେ ବିବିସି ରିପୋର୍ଟ ଅନୁସାରେ ୬ ଫେବୃଆରୀ ୨୦୨୩ ସକାଳ ୪ଟା ୧୭ ମିନିଟରେ ଗୁଗଲ ସିଷ୍ଟମ କେବଳ ୪୬୯ଟି ‘କାର୍ଯ୍ୟାନୁଷ୍ଠାନ କରନ୍ତୁ’ ଚେତାବନୀ ଦେଇଥିଲା। ହେଲେ ଏହି ସମୟରେ ୫ଲକ୍ଷ ଲୋକଙ୍କ ନିମନ୍ତେ କରାଯାଇଥିବା ନିମ୍ନସ୍ତରୀୟ ସତର୍କତା ମିଳିଥିଲା। ଗୁଗଲ ଗବେଷକଙ୍କ ଅନୁସାରେ ସିଷ୍ଟମ ଭୂମିକମ୍ପର ତୀବ୍ରତା୪.୫ରୁ ୪.୯ ମଧ୍ୟରେ ମାପିଥିଲା। ହେଲେ ସେତେବେଳେ ବାସ୍ତବିକ ତୀବ୍ରତା ୭.୮ ଥିଲା। ଏହି ଭୁଲ ଆକଳନ କାରଣରୁ ଲକ୍ଷଲକ୍ଷ ଲୋକେ ସଠିକ ସମୟରେ ଆଲର୍ଟରୁ ବଞ୍ଚିତ ହୋଇଥିଲେ।
ଦ୍ୱିତୀୟ ଭୂମିକମ୍ପ କାଳରେ ମଧ୍ୟ ଏହି ତ୍ରୁଟି ଦୋହରିଥିଲା। କେବଳ ୮,୧୫୮ଟି ଫୋନକୁ ‘କାର୍ଯ୍ୟାନୁଷ୍ଠାନ କରନ୍ତୁ’ ଚେତାବନୀ ଯାଇଥିଲା। ତେବେ ଏହି ସମୟରେ ୪୦ ଲକ୍ଷ ଲୋକଙ୍କୁ ଆୱେର ଆଲର୍ଟ ମିଳିଥିଲା। ଯଦି ସଠିକ ସମୟରେ ଚେତାବନୀ ମିଳିଥାନ୍ତା ଲୋକେ ନ ସୋଇ ସୁରକ୍ଷିତ ସ୍ଥାନକୁ ଯାଇ ପାରିଥାନ୍ତେ।
ଭୂମିକମ୍ପ ପରେ ଗୁଗଲ ନିଜ ଏଲଗୋରିଦମ ସୁଧାର କରିଛି ଓ ସିଷ୍ଟମର ପରୀକ୍ଷଣ କରିଛି। ବିବିସି ଅନୁସାରେ ନୂଆ ପରୀକ୍ଷଣରେ ‘କାର୍ଯ୍ୟାନୁଷ୍ଠାନ କରନ୍ତୁ’ ଆଲର୍ଟ ୧ କୋଟି ଲୋକଙ୍କ ନିକଟକୁ ପହଞ୍ଚିଛି। ଏହି ସମୟରେ ଭୂମିକମ୍ପ କେନ୍ଦ୍ର ସ୍ଥଳରେ ରହୁଥିବା ୬.୭ କୋଟି ଲୋକଙ୍କୁ ‘ଆୱେର’ ଆଲର୍ଟ ଜାରି ହୋଇଥିଲା। ତେବେ ଗୁଗଲ କହିଛି ଯେ ଆମେ ଆମ ପ୍ରଣାଳୀକୁ ଉନ୍ନତ କରିବାକୁ ଲଗାତାର କାମ କରୁଛୁ ଯାହାଦ୍ୱାରା ଭବିଷ୍ୟତରେ ଏଭଳି ବିପର୍ଯ୍ୟକୁ ରୋକାଯାଇ ପାରିବ।