ନୂଆଦିଲ୍ଲୀ ୨୩।୦୪: ଭାରତରେ ସୁନା ଦାମ୍ ରେକର୍ଡ ଛୁଇଁଛି । ମଙ୍ଗଳବାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ଟଙ୍କା ପାର୍ କରିଛି । ତେବେ ସୁନା କେବଳ ଭାରତରେ ରେକର୍ଡ ଭାଙ୍ଗିଛି ତାନୁହେଁ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦାମ୍ ଶିଖର ଛୁଇଁଛି । ଦେଶରେ ସୁନା ଦାମ୍ ୩ ଲକ୍ଷ ଅତିକ୍ରମ କରିଥିବା କରାଯାଉଛି ଅନୁମାନ ।
ମଙ୍ଗଳବାର ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୯୯ ହଜାର ୧୦୦ ଟଙ୍କାରେ ପହଞ୍ଚିଥିଲା । କିନ୍ତୁ ୩% GST ଏବଂ ଗଢା ମଜୁରୀ ମିଶିଇବା ଦ୍ବାରା ସୁନା ଦାମ୍ ଲକ୍ଷେ ପାର୍ କରିଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଲ୍ ପାକିସ୍ତାନ ସରାଫା ଜେମ୍ସ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ କହିଛି, ଟାରିଫ୍ ଟେନସନ୍ ଯୋଗୁଁ ଆରମ୍ଭ ହୋଇଛି ବାଣିଜ୍ୟ ଯୁଦ୍ଧ । ଆଉ ଏହି କାରଣରୁ ସୁନା ଦାମ୍ କ୍ରମାଗତ ଭାବରେ ରେକର୍ଡ ଭାଙ୍ଗି ଚାଲିଛି । ଗତ ମଙ୍ଗଳବାର ଦିନ ପାକିସ୍ତାନରେ ସୁନା ଦାମ୍ ସର୍ବାଧିକ ସ୍ତରରେ ପହଞ୍ଚିଥିଲା।
୨୪ କ୍ୟାରେଟ୍ ସୁନା ପ୍ରତି ତୋଲା ପିଛି ୩ ଲକ୍ଷ ୭୯ ହଜାର ୧୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୧୦ ଗ୍ରାମ ସୁନାର ମୂଲ୍ୟ ୩ ଲକ୍ଷ ୨୫ ହଜାର ୦୬୫ ପାକିସ୍ତାନୀ ଟଙ୍କା ରେକର୍ଡ କରାଯାଇଛି । ସୋମବାର ପୂର୍ବରୁ ୧ ତୋଳା ସୁନାର ଦାମ୍ ୩ ଲକ୍ଷ ୫୭ ହଜାର ୮୦୦ ପାକିସ୍ତାନୀ ଟଙ୍କା ଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ଯୋଗୁଁ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି । ଏଥିରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଏବଂ ଚୀନ୍ । ଯାହା ବିଶ୍ୱ ଉତ୍ତେଜନା ବୃଦ୍ଧି କରିଛି ଏବଂ ବିଶ୍ୱବ୍ୟାପୀ ସୁନାର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି ।
ଆପଣଙ୍କୁ କହି ରଖୁଛୁ ଯେ ୨ ଏପ୍ରିଲରେ ଟ୍ରମ୍ପ ବିଶ୍ୱର ସମସ୍ତ ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଘୋଷଣା କରିଥିଲେ । ଯାହା ପରେ ଆମେରିକାରୁ ଏସିଆ ପର୍ଯ୍ୟନ୍ତ ସେୟାର ବଜାରରେ ଏକ ବଡ଼ ହଲଚଲ ହୋଇଥିଲା। ତେବେ ଟ୍ରମ୍ପ ପ୍ରଶାସନ ପରେ କିଛି ଦେଶକୁ ଶୁଳ୍କରୁ ୯୦ ଦିନର ରିହାତି ମଧ୍ୟ ଦେଇଥିଲା।