ନୂର ଅହମଦ ନୂର ହେଲେ ଭାରତରେ ଆଫଗାନିସ୍ତାନର ନୂଆ ରାଜଦୂତ, ଗ୍ରହଣ କଲେ କାର୍ଯ୍ୟଭାର

NEWS7
gold-prices-rise-amid-tariff-war-between-us-and-china

ନୂଆଦିଲ୍ଲୀ ୧୦।୧: ଆଫଗାନିସ୍ତାନ ନୂର ଅହମଦ ନୂରଙ୍କୁ ନୂଆଦିଲ୍ଲୀସ୍ଥିତ ନିଜ ଦୂତାବାସରେ ନୂଆ ରାଜଦୂତ ନିଯୁକ୍ତ କରିଛି। ଆଫଗାନିସ୍ତାନରେ ତାଲିବାନ ସରକାର ପରେ ଭାରତରେ କରାଯାଇଥିବା ଏହା ପ୍ରଥମ କୂଟନୈତିକ ନିଯୁକ୍ତି। ନୂର ଅହମଦ ନୂର ପୂର୍ବରୁ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରାଳୟରେ ମୁଖ୍ୟ କୂଟନୈତିକ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ଥିଲେ। ଏବେ ସେ ଭାରତର ରାଜଧାନୀସ୍ଥିତ ଆଫଗାନିସ୍ତାନ ଦୂତାବାସର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ନିଯୁକ୍ତିକୁ ଉଭୟ ଦେଶଙ୍କ ମଧ୍ୟରେ ମାନବୀୟ ସହାୟତା ଓ ସ୍ୱାସ୍ଥ୍ୟ ସହଯୋଗକୁ ଅଧିକ ଗଭୀର କରିବା ପାଇଁ ପ୍ରୟାସର ଅଂଶବିଶେଷ କୁହାଯାଉଛି।

ଆଫଗାନିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ମୌଲବୀ ନୂର ଜଲାଲ ଜଲାଲୀ ଗତ ଡିସେମ୍ବର ୨୦ ତାରିଖରେ କହିଥିଲେ ଯେ ପାକିସ୍ତାନ ସହ ସମ୍ପର୍କରେ ଦେଖା ଦେଇଥିବା ଉତ୍ତେଜନା କାରଣରୁ ଭାରତ ଏବେ ଆଫଗାନିସ୍ତାନ ନିମନ୍ତେ ଔଷଧ ଏବଂ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ବିକଳ୍ପ ପାଲଟିଛି। ଜଲାଲୀ କହିଛନ୍ତି ଯେ ଭାରତ ସହିତ ଆମର ସମ୍ପର୍କ ବେଶ ମଜଭୁତ। ଏଣୁ ଆମେ ସହଯୋଗ ଓ ଭାଗିଦାରୀର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ତେବେ ପାକିସ୍ତାନ ସହ ଆମ ସମ୍ପର୍କ ଆଉ ପୂର୍ବ ଭଳି ନାହିଁ। ସେ ଭାରତକୁ ଏକ ବିଶ୍ୱସନୀୟ ସ୍ୱାସ୍ଥ୍ୟ ଭାଗିଦାର ବୋଲି ଅଭିହିତ କରିଛନ୍ତି ଓ ଦୀର୍ଘ କାଳୀନ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦ୍ୱିତୀୟ ବୈଶ୍ୱିକ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜଲାଲୀ ଭାରତ ଆସିଥିଲେ। ତାଙ୍କର ଏହି ଯାତ୍ରା କାଳରେ ଆଫଗାନିସ୍ତାନ ପ୍ରତି ଭାରତ ନିରନ୍ତର ମାନବୀୟ ସହାୟତାର ସଂକଳ୍ପକୁ ଦୋହରାଇଥିଲା। ଏଥିରେ ଔଷଧ ଏବଂ ସ୍ୱାସ୍ଥ୍ୟ ସହାୟତାକୁ ଦୀର୍ଘ କାଳୀନ ଯୋଗାଣ ନିମନ୍ତେ ପ୍ରାଥମିକତା ଦିଆଯାଇଥିଲା। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ତାଲିବାନ ସରକାରକୁ ଆସିବା ପରେ ଅକ୍ଟୋବର ୨୦୨୫ରେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲେ। ଭାରତର ସ୍ୱାଗତ ସମ୍ବର୍ଦ୍ଧାନା ଲାଗି ସେ କୃତଜ୍ଞତା ଜଣାଇଥିଲେ।

ଏହାଛଡା ନଭେମ୍ବର ୨୪ ତାରିଖରେ ଆଫଗାନିସ୍ତାନ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ନୁରୁଦ୍ଦୀନ ଅଜୀଜୀ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ଭିସା ସମ୍ପର୍କିତ ସମସ୍ତ ବାଧା ଦୂର କରିଦିଆଯାଇଛି ବୋଲି ଘୋଷଣା କରିଥିଲେ। ଏଣୁ ଆଫଗାନ ନାଗରିକ ଏବେ ବାଣିଜ୍ୟ ଓ ଚିକିତ୍ସା ନିମନ୍ତେ ସହଜରେ ଭାରତର ଭିସା ପାଇ ପାରିବେ। ଏଥିରେ ନୂର ଅହମଦ ନୂରଙ୍କ ନୂଆଦିଲ୍ଲୀରେ ଆଫଗାନ ଦୂତାବାସ ନିଯୁକ୍ତିକୁ ଉଭୟ ଦେଶ ମଧ୍ୟରେ ମାନବୀୟ ସହାୟତା, ସ୍ୱାସ୍ଥ୍ୟ ସହଯୋଗ ଓ କୂଟନୈତିକ ଆଦାନ ପ୍ରଦାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଉଛି।