ଇସ୍ରାଏଲକୁ ଇରାନୀ ଅଧିକାରୀଙ୍କ ଧମକ, କହିଲେ-ଆଗାମୀ ଟାର୍ଗେଟ ହେବ ‘ଡିମୋନା’

NEWS7
gold-and-silver-price-decrease-again

ତେହେରାନ ୧୧।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ବିପଦଜନକ ମୋଡକୁ ପହଞ୍ଚି ଯାଇଛି। ଆମେରିକା ଓ ଇସ୍ରାଏଲ ଆକ୍ରମଣର ଜବାବରେ ଇରାନ ସ୍ପଷ୍ଟ ଭାବେ କହିଛି ଯେ ଶାସନ ବଦଳାଇବାର କୌଣସି ବି ଅପଚେଷ୍ଟାରେ ଆମେ ଆମର ବଳକା ମିଜାଇଲ ଇସ୍ରାଏଲର ଡିମୋନା ପରମାଣୁ କେନ୍ଦ୍ର ଉପରେ ପ୍ରୟୋଗ କରିବୁ। କେବଳ ଏତିକି ନୁହେଁ ସବୁ ଏନର୍ଜୀ ଠିକଣାକୁ ମଧ୍ୟ ଟାର୍ଗେଟ କରିବ ବୋଲି ଧମକ ଦେଇଛି। ଇରାନର ପରମାଣୁ ବୋମା ନାହିଁ ହେଲେ ଡିମୋନା ଉପରେ ଆକ୍ରମଣ ପରମାଣୁ ଭଳି ପ୍ରଳୟ ରଚିପାରେ। ଇରାନର ଏହି ଧମକ କେବଳ ଇସ୍ରାଏଲ ନୁହେଁ ଏବେ ବିଶ୍ୱର ନିଦ ହଜେଇ ଦେଇଛି।

ଡିମୋନା କ’ଣ?
ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲର ଏହି ପରମାଣୁ କେନ୍ଦ୍ର ନେଗେଭ ମରୁଭୂମିରେ ଡିମୋନା ସହରରୁ ମାତ୍ର ୧୩ କିଲୋମିଟର ଦୂରରେ ଅବସ୍ଥିତ। ୧୯୫୮ ମସିହାରେ ଫ୍ରାନ୍ସ ର ଗୁପ୍ତ ସହାୟତାରେ ନିର୍ମିତ ଏହି ପରମାଣୁ ରିଆକ୍ଟର ୧୯୬୨ରେ ସକ୍ରିୟ ହୋଇଥିଲା। ଆରମ୍ବରେ ଇସ୍ରାଏଲ ଏହାକୁ କପଡା ଫାକ୍ଟ୍ରି ବୋଲି କହୁଥିଲା। ତେବେ ପରେ ଜଣେ ଟେକ୍ନିସିଆନ ଏହାର ରହସ୍ୟ ଉପରୁ ପର୍ଦ୍ଦା ହଟାଇଥିଲେ। ଏ ପର୍ଯ୍ୟନ୍ତ ଇସ୍ରାଏଲ ପରମାଣୁ ଅସ୍ତ୍ର ରଖିଥିବାର ପୁଷ୍ଟି କରୁ ନାହିଁ। ହେଲେବି ବିଶେଷଜ୍ଞ ଇସ୍ରାଏଲକୁ ବିଶ୍ୱର ୯ ପରମାଣୁ ଶକ୍ତି ସମ୍ପନ୍ନ ଦେଶଙ୍କ ମଧ୍ୟରେ ଗଣନ୍ତି।

ରିଆକ୍ଟରରେ କ’ଣ ହୁଏ?
ଏଠାରେ ଏ ପର୍ଯ୍ୟନ୍ତ ପାଖାପାଖି ୮୦୦ କେଜି ଅସ୍ତ୍ର ଗ୍ରେଡର ପ୍ଲୁଟୋନିୟମ ତିଆରି ହୋଇସାରିଲାଣି। ଏହା ଛଡା ଏଠାରେ ଦୀର୍ଘ ୬ ଦଶନ୍ଧୀର ପରମାଣୁ ବର୍ଜ୍ୟ ଓ ରେଡିଓଆକ୍ଟିଭ ସାମଗ୍ରୀ ମଧ୍ୟ ଜମା ହୋଇ ରହିଛି। ଜୁନ ୨୦୨୫ରେ ଏସଆଇପିଆରଆଇ ରିପୋର୍ଟ ଅନୁସାରେ ଇସ୍ରାଏଲ ନିକଟରେ ୯୦ରୁ ଅଧିକ ପରମାଣୁ ୱାରହେଡ ଥାଇପାରେ। ଏଥିରେ ୩୦ଟି ଗ୍ରାଭିଟି ବୋମା ଥିବା ବେଳେ ୫୦ଟି ଜେରିକୋ-୨ ମିଜାଇଲ ବି ଥାଇପାରେ। ଭବିଷ୍ୟତରେ ଇସ୍ରାଏଲ ୨୦୦ରୁ ଅଧିକ ୱାରହେଡ ବି ତିଆରିପାରେ ବୋଲି ଆକଳନ କରାଯାଇଛି। ଏଣୁ ଏହି ପରମାଣୁ କେନ୍ଦ୍ର ଆଖପାଖର ଏୟରସ୍ପେସ୍ କୁ ଇସ୍ରାଏଲ ବନ୍ଦ କରି ରଖିଛି।

ଯଦି ଆକ୍ରମଣ ହୁଏ କ’ଣ ହେବ?
ଡିମୋନା ଉପରେ ଇରାନ ମିଜାଇଲ ଆକ୍ରମଣ କଲେ ବିସ୍ଫୋରଣ ହେବନି। ହେଲେ ରେଜିଓଆକ୍ଟିଭ ଧୂଆଁ ବ୍ୟାପିଯିବ। ୨୦୦୮ ମସିହାର ଏକ ଅଧ୍ୟୟନ ଅନୁସାରେ ଏହି ଧୂଆଁ ପ୍ରଥମେ ଡିମୋନା ସହର ଓ ପରେ ପୁରା ଇସ୍ରାଏଲ ଏବଂ ଉପକୂଳ ଅଞ୍ଚଳକୁ ପହଞ୍ଚି ପାରେ। ଏହି ସବୁ କ୍ଷେତ୍ରରେ ଅନୁନ୍ୟ ୫୦ଲକ୍ଷ ଲୋକେ ବସବାସ କରୁଛନ୍ତି। ଯଦି ଏପରି କିଛି ହୁଏ ତେବେ ୨ଲକ୍ଷ ଲୋକଙ୍କୁ ତୁରନ୍ତ ୩୦ କିଲୋମିଟର ଦୂରକୁ ହଟିବାକୁ ପଡିପାରେ। ଏହାଛଡା ୨୫୦୦ରୁ ୩ହଜାର ବର୍ଗ କିଲୋମିଟର ଅଞ୍ଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ବସବାସ ଉପଯୋଗୀ ରହିବ ନାହିଁ।

ଇରାନର ମିଜାଇଲ ରଣନୀତି
ଇରାନ ସେଚ୍ୟୁରେସନ ଆଟାକ ଉପରେ ଭରସା କରେ। ପ୍ରଥମେ ଡ୍ରୋନ, ପରେ କ୍ରୁଜ ଓ ଶେଷରେ ବାଲିଷ୍ଟିକ୍ ମିଜାଇଲ ଆକ୍ରମଣ କରୁଛି। ୨୦୨୪ରେ ଇସ୍ରାଏଲ ଉପରକୁ ଇରାନ ୨୦୦ଟି ମିଜାଇଲ ମାରିଥିଲା। ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ବେଶ୍ ମଜଭୁତ, ହେଲେବି ୨୫% ମିଜାଇଲ ଟାର୍ଗେଟ୍ ହିଟ୍ କରିଥିଲା। ତେବେ ଇରାନର ଏପରି ଧମକ ପରେ କେବଳ ଇସ୍ରାଏଲ ନୁହେଁ ଜୋର୍ଡାନ ଓ ଇଜିପ୍ଟ ଆଦି ଉପସାଗରୀୟ ଦେଶ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି। ଏଥି ପାଇଁ ଜୋର୍ଡାନ ଓ ଇଜିପ୍ଟ ଜରୁରିକାଳୀନ ବୈଠକ ଆହ୍ୱାନ କରିଛନ୍ତି। ଯଦି ରେଡିଓଆକ୍ଟିଭ ଧୂଆଁ ବ୍ୟାପେ ତେବେ ଚାଷ, ଜନସଂଖ୍ୟା ଓ ସାମୁଦ୍ରିକ ରାସ୍ତା ପ୍ରଭାବିତ ହୋଇପାରେ। ୟୁଏଇ, ସାଉଦୀ ଆରବ ଓ ବାହରିନର ତୈଳ ଭଣ୍ଡାର ଉପରେ ଇରାନ ଆକ୍ରମଣ କରିସାରିଲାଣି। ଏଥିରେ ବିଶେଷଜ୍ଞ କହିଛନ୍ତି ଯେ ଇରାନ ଯଦି ଏଭଳି କୌଣସି ପଦକ୍ଷେପ ନିଏ ବିନା ପରମାଣୁ ବୋମାରେ ମଧ୍ୟ ପରମାଣୁ ସ୍ତରର କ୍ଷୟକ୍ଷତି କରିପାରେ ଯାହା ଶହଶହ ବର୍ଷ ଧରି ରହିବ।