ସୁଇସାଇଡ ବୋମା ଦିଅ, ମୁଁ ପାକିସ୍ତାନ ଯାଇ ଯୁଦ୍ଧ କରିବି; କର୍ଣ୍ଣାଟକ ମନ୍ତ୍ରୀଙ୍କ ବଡ ବୟାନ

Published By : Prameya-News7 Bureau | May 03, 2025 IST

ବେଙ୍ଗାଲୁରୁ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।  ଏହା ମଧ୍ୟରେ କର୍ଣ୍ଣାଟକ ସରକାରରେ ଗୃହ ଓ ସଂଖ୍ୟାଲଘୁ ମନ୍ତ୍ରୀ ଜମିର ଅହମ୍ମଦ ଖାନଙ୍କ ଏକ ବୟାନ ଖୁବ ଜୋରରେ ଭାଇରାଲ୍ ହେବାରେ ଲାଗିଛି । ମନ୍ତ୍ରୀ ନିଜ ବୟାନରେ ପାକିସ୍ତାନ ସହ ଯୁଦ୍ଧ ପାଇଁ ଏକାକୀ ହିଁ ଆତ୍ମଘାତୀ ବୋମା ସହିତ ପାକିସ୍ତାନ ଯିବାକୁ କହୁଛନ୍ତି ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଖାନ କହିଛନ୍ତି, ପାକିସ୍ତାନ ସର୍ବଦା ଭାରତ ସହ ଶତ୍ରୁତା କରି ଆସିଛି । ଏମିତି ଦୁଃଖ ସମୟରେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୋତେ ସୁଯୋଗ ଦିଅନ୍ତି ତେବେ ମୁଁ ସୀମାକୁ ଯାଇ ଯୁଦ୍ଧ କରିବାକୁ ପ୍ରସ୍ତୁତ । ଆମେ ସବୁ ଭାରତୀୟ, ଆମେ ସବୁ ହିନ୍ଦୁସ୍ଥାନୀ । ଆମର ପାକିସ୍ତାନ ସହ କୌଣସି ସଂପର୍କ ନାହିଁ । ପାକିସ୍ତାନ ସର୍ବଦା ଆମର ଶତ୍ରୁ ଦେଶ ହୋଇ ରହିଛି । ଯଦି ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହ କିମ୍ବା କେନ୍ଦ୍ର ସରକାର ମୋତେ ଅନୁମତି ଦିଅନ୍ତି ତେବେ ମୁଁ ପାକିସ୍ତାନ ଯାଇ ଯୁଦ୍ଧ କରିବାକୁ ପ୍ରସ୍ତୁତ । 

ଖାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଆତ୍ମଘାତୀ  ବୋମା ଯୋଗାଇ ଦେବାକୁ ଆହ୍ୱାନ କରିଛନ୍ତି । ମୁଁ ଯୁଦ୍ଧ କରିବାକୁ ପାକିସ୍ତାନ ଯିବି... ମୋଦୀ, ଶାହ ମୋତେ ଆତ୍ମଘାତୀ ବୋମା ଦିଅନ୍ତୁ । ମୁଁ ପାକିସ୍ତାନ ଯିବି ଏବଂ ହମଲା କରିବି । ଏହା ପୂର୍ବରୁ ଖାନ ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାର କଡା ନିନ୍ଦା କରିବା ସହ ଏହାକୁ ଅମାନବୀୟ କୃତ୍ୟ ବୋଲି ଦର୍ଶାଇଛନ୍ତି । ଆମ ଭାରତୀୟଙ୍କୁ ଏକଜୁଟ୍ ହେବା ଉଚିତ୍‌, ଏହା ଆମର ଏକତ୍ରିତ ହେବାର ସମୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କଡା ପଦକ୍ଷେପ ନେବା ଉଚିତ୍ ବୋଲି ଖାନ କହିଛନ୍ତି । 

Also read: 'ଭାରତ ପାକିସ୍ତାନ ଉପରେ ହମଲା କଲେ ବାଂଲାଦେଶ ପୂର୍ବୋତର ରାଜ୍ୟଗୁଡକୁ କବଜା କରିବା ଉଚିତ୍‌'

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟଙ୍କ ମୃତ୍ୟୁ ଘଟିଛି । ଏହି ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ସହ ଅଟାରୀ ଚେକ ପୋଷ୍ଟ ବନ୍ଦ କରାଯାଇଛି । ପାକିସ୍ତାନ ବିରୋଧରେ ଡିଜିଟାଲ  ଷ୍ଟ୍ରାଇକ କରାଯିବ ସହ ଏୟାରସ୍ପେସ ବନ୍ଦ କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.