ଗିଲ୍‌ଙ୍କ ଐତିହାସିକ ଶତକ, ଜୟସ୍ଵାଲଙ୍କ ଅର୍ଦ୍ଧଶତକ; ପ୍ରଥମ ଦିନରେ ଭାରତ ୩୧୦/୫

Published By : Prameya-News7 Bureau | July 02, 2025 IST

ବର୍ମିଂହାମ: ବର୍ମିଂହାମର ଏଜବାଷ୍ଟନରେ ବୁଧବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତ ୫ ଓ୍ଵିକେଟ୍ ହରାଇ ୩୧୦ ରନ କରିଛି। ଅଧିନାୟକ ଶୁଭମନ ଗିଲ୍ ଐତିହାସିକ ଶତକ ହାସଲ କରିଛନ୍ତି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଗିଲ୍ ୧୧୪ ରନ ଓ ରବୀନ୍ଦ୍ରା ଜାଡ଼େଜା ୪୧ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଯଶସ୍ଵୀ ଜୟସ୍ଵାଲ ୮୭ ରନର ଇନିଂସ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ଵକ୍ସ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଦ୍ଵିତୀୟ ଟେଷ୍ଟରେ ତିନୋଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। 

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୧୫ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। କେଏଲ ରାହୁଲ ୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଯଶସ୍ଵୀ ଜୟସ୍ଵାଲ ଓ ତିନି ନମ୍ବରରେ ବ୍ୟାଟିଂ କରିଥିବା କରୁଣ ନାୟର କ୍ରିଜରେ ଜମି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। କ୍ରିଜରେ ଜମି ଆସିଥିବା କରୁଣ ନାୟର ୩୧ ରନ କରି ଆଉଟ୍ ହୋଇଥିଲେ। ଜୟସ୍ଵାଲ ଓ ଅଧିନାୟକ ଶୁଭମନ ଗିଲ୍ ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ୩ୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ି ଦଳର ସ୍କୋରକୁ ୧୬୧ ରନରେ ପହଞ୍ଚାଇଥିଲେ। 

Also read: ବର୍ମିଂହାମର ଏଜବାଷ୍ଟନରେ ୫୦ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ ଜୟସ୍ୱାଲ୍

ଜୟସ୍ଵାଲ ପୁଣି ଏକ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳି ୧୦୭ ବଲରୁ ୧୩ ଚୌକା ସହ ୮୭ ରନ କରିଥିଲେ। ତାଙ୍କ ଆଉଟ୍ ପରେ ଭାରତ ଶୀଘ୍ର ଆଉ ୨ଟି ଓ୍ଵିକେଟ୍ ହରାଇ୍‌ଥିଲା। ଋଷଭ ପନ୍ତ ୨୫ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଥିବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ(୧) ଆଉଟ୍ ହୋଇଥିଲେ। ୨୧୧ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଭାରତ। ତେବେ ଅଧିନାୟକ ଶୁଭମନ ଗିଲ୍ ରବୀନ୍ଦ୍ର ଜାଡ଼େଜାଙ୍କ ସହ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। 

ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମ ଦିନରେ ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ। ଏହା ମଧ୍ୟରେ ଗିଲ୍ ନିଜର ଟେଷ୍ଟ କ୍ୟାରିୟରରେ ସପ୍ତମ ଶତକ ହାସଲ କରିବା ସହ ଐତିହାସିକ ଇନିଂସ ଖେଳିଥିଲେ। ଗିଲ୍ ଓ ଜାଡ଼େଜା ଅଦ୍ୟାବଧି ଷଷ୍ଠ ଓ୍ଵିକେଟ୍ ପାଇଁ ୯୯ ରନ ଯୋଡ଼ିଛନ୍ତି। ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୩୧୦ ରନ କରିଛି।ଗିଲ୍ ୧୨ ଚୌକା ସହ ୧୧୪ ରନ ଓ ଜାଡ଼େଜା ୬୭ ବଲରୁ ୫ ଚୌକା ସହ ୪୧ ରନର ଅପରାଜିତ ଇନିଂସ ଖେଳିଛନ୍ତି। ବୋଲିଂରେ ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓ୍ଵକ୍ସ ୫୯ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ବ୍ରାଇଡନ କାର୍ସ, ବେନ ଷ୍ଟୋକ୍ସ ଓ ଶୋଏବ ବସିର ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.