ଆମ ଉପରେ ଟ୍ରମ୍ପ୍ କିଏ ? ଆମେରିକାର ନୀତି କେବଳ ଶୋଷଣ ; ରାହୁଲ ଗାନ୍ଧୀ କହିଲେ- 'କେନ୍ଦ୍ର ସରକାର ସବୁ କଥାରେ ସାଲିସ ବ୍ୟକ୍ତିତ୍ୱ ପରିଚୟ ଦେଉଛନ୍ତି'

NEWS7
get-involved-in-govt-schemes-or-get-govt-jobs-said-by-bhadrak-prahllad-jena

ନୂଆଦିଲ୍ଲୀ, ୦୬ /୦୩: ଜୋର ଧରିଲା ତେଲ ରାଜନୀତି । ଆମେରିକା ଭାରତକୁ ଋଷିଆଠୁ ତେଲ କିଣିବାକୁ ଅନୁମତି ଦେଇଛି । ୟୁଏସ ଅଧିକାରୀ ଯୁଦ୍ଧ ସଙ୍କଟ ମଧ୍ୟରେ ଋଷଠୁ ଭାରତ ୩୦ ଦିନ ଯାଏଁ ତେଲ କିଣିପାରିବ ବୋଲି କହିଛନ୍ତି । ଯାହାକୁ ନେଇ ଭାରତ ସରକାରଙ୍କ ବୈଦେଶିତ ନୀତିକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରର ବିଦେଶ ନୀତି ବିଫଳ ହୋଇଛି । ଏବେ ଆମେରିକା ଭାରତକୁ କେଉଁଠୁ ତେଲ କିଣାଯିବ ତାହା କହିଛି । ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାଲିସ କରୁଥିବା ଜଣେ ବ୍ୟକ୍ତିଙ୍କ କାମର ଏହା ଫଳାଫଳ ବୋଲି କଂଗ୍ରେସ ଯୁବରାଜ କହିଛନ୍ତି ।

ନିଜ ସୋସିଆଲ ମିଡିଆ ପୋଷ୍ଟ୍ ଏକ୍ସରେ କଂଗ୍ରେସ ତରଫରୁ ସେୟାର କରାଯାଇଥିବା ଏକ ଭିଡିଓକୁ ରିଟ୍ୱିଟ୍ କରିଛନ୍ତି ରାହୁଲ । ଏଥିରେ ସେ କହିଛନ୍ତି ଯେ, ଭାରତର ବୈଦେଶିକ ନୀତି ଜନତାଙ୍କ ସ୍ୱାର୍ଥ ସହ ଜଡିତ । ଦେଶର ଇତିହାସ, ଭୂଗୋଳ ଏବଂ ଆଧ୍ୟାତ୍ମିକ ବାର୍ତ୍ତା ଅର୍ଥାତ ସତ୍ୟ ଏବଂ ଅହିଂସା ମାର୍ଗ ଦେଇ ନୀତି ଯିବା ଜରୁରୀ । ଆଜି ଆମେ ଯାହା ଦେଖୁଛେ ତାହା ବୈଦେଶିକ ନୀତି ନୁହେଁ । ଏହା ହେଉଛି ସାଲିସ । ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାଲିସ କରୁଥିବା ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକଳାପର ଫାଳଫଳ ଏହା ବୋଲି ରାହୁଲ କଟାକ୍ଷ କରିଛନ୍ତି ।

କଂଗ୍ରେସ ସେୟାର କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି । ଏହାସହ ସାଲିସ କରୁଥିବା କହୁଛନ୍ତି । ଆହୁରି ମଧ୍ୟ ଆମେରିକା ଭାରତକୁ କହୁଛି କାହାଠୁ କେତେଦିନ ତେଲ କିଣାଯିବ । ଭାରତ ଋଷିଆ କିମ୍ବା ଇରାନ କାହାଠୁ ତେଲ କିଣିବ ତାହା ଆମେରିକା ଏବେ ଭାରତକୁ ନିର୍ଦ୍ଦେଶ ଦେଉଛି । ଭାରତର ପ୍ରଧାନମନ୍ତ୍ରୀ ତେଲ କାହାଠୁ କିଣାଯିବ ତାହାର ନିଷ୍ପତ୍ତି ନେଇ ପାରୁନାହାଁନ୍ତି ବୋଲି ଭିଡିଓରେ ରାହୁଲ କହୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଯୁଦ୍ଧ ପାଇଁ ବିଶ୍ୱସ୍ତରରେ ତେଲ ସଙ୍କଟ ଦେଖାଦେଇଛି । ଷ୍ଟ୍ରେଟ୍ ଅଫ୍ ହରମୋଜ୍ ଦେଇ ତୈଳ ଟ୍ୟାଙ୍କର ଆସିପାରୁ ନାହିଁ । ଭାରତରେ ମଧ୍ୟ ୫୬ ଦିନ ପାଇଁ ତେଲ ମହଜୁଦ ଅଛି । ଏହି ସମୟରେ ଆମେରିକା ଭାରତ ଉପରେ ଋଷଠୁ ତେଲ କିଣାକୁ ନେଇ ଲଗାଇଥିବା କଟକଣାକୁ ୩୦ ଦିନ ପାଇଁ କୋହଳ କରିଛି । ଅର୍ଥାତ ଭାରତ ଏବେ ବିନା କୌଣସି ବାଧାରେ ଋଷଠୁ ତେଲ କିଣିପାରିବ । ଯାହାକୁ ବିରୋଧୀ ଦଳ ପ୍ରସଙ୍ଗ କରିବା ସହ ଆମେରିକା ଭାରତ ଉପରେ ଅଧିକାର ସାବ୍ୟସ୍ତ କରୁଥିବା ନେଇ ଅଭିଯୋଗ କରୁଛନ୍ତି ।