ପ୍ରଥମ ଥର ଆମେରିକାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ରୋକିବାକୁ ଆସିବ କଡ଼ା ଆଇନ

Published By : Prameya-News7 Bureau | April 13, 2025 IST

indiatoday

ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଆଉ ବରଦାସ୍ତ କରାଯିବ ନାହିଁ। ହିନ୍ଦୁଫୋବିଆକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ଆମେରିକାର ଜର୍ଜିଆ ରାଜ୍ୟର ବିଧାନସଭାରେ ଏକ ବିଲ୍ ଆଗତ ହୋଇଛି। ବିଲ୍ ଆଇନରେ ପରିଣତ ହେଲେ ଜର୍ଜିଆ ଏହାର ଦଣ୍ଡ ସଂହିତାରେ ପରିବର୍ତ୍ତନ କରିବ। ଏବଂ ହିନ୍ଦୁ ବିରୋଧୀ ହିଂସାକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆମେରିକାରେ ଭାରତୀୟ ବଂଶୋଦ୍ଭବ ସାଂସଦମାନେ ଦେଶରେ ହିନ୍ଦୁଙ୍କ ପ୍ରତି ଘୃଣା ବଢୁଛି ବୋଲି ଦର୍ଶାଇବା ପରେ ପ୍ରଥମ ରାଜ୍ୟ ଭାବେ ଜର୍ଜିଆ ଏପରି ଆଇନ ତିଆରି କରିବ।

ପଢନ୍ତୁ- ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଶୁଳ୍କ, କିଛି ମସୟ ପାଇଁ ଆଶ୍ୱସ୍ତି ଦେଇଛନ୍ତି ଟ୍ରମ୍ପ: ଆମେରିକା

ଏପ୍ରିଲ ୪ ତାରିଖରେ SB ୩୭୫ ନାମକ ବିଲ୍‌ ଜର୍ଜିଆ ସାଧାରଣ ସଭା, ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏଥିରେ ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ ଦଳର ସାଂସଦ ମିଳିତ ଭାବେ ବିଲ୍ ଆଣିଥିଲେ। ଜର୍ଜିଆ ଷ୍ଟେଟ୍ ସିନେଟ୍ ସଦସ୍ୟ ଶନ୍ ଷ୍ଟିଲ୍ ଏବଂ କ୍ଲିଣ୍ଟ ଡିକ୍ସନ୍ ଉଭୟ ରିପବ୍ଲିକାନ୍ ଏବଂ ଜେସନ୍ ଏଷ୍ଟେଭ୍ସ ଏବଂ ଇମାନୁଏଲ୍ ଜୋନ୍ସ  ଉଭୟ ଡେମୋକ୍ରାଟ୍ - ୪ ଜଣ ବିଲ୍ ପ୍ରାୟୋଜକ ଥିଲେ।

ବିଲ ଆଗତ ବେଳେ ଶନ ଷ୍ଟିଲ କହିଥିଲେ ଯେ "ଗତ କିଛି ବର୍ଷ ମଧ୍ୟରେ, ଆମେ ସାରା ଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଘୃଣା ଅପରାଧରେ ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖିଛୁ।" ତେଣୁ ଏଥିରେ ରୋକ୍ ଲଗାଇବାକୁ ଆଇନର ପରିଣତ ହୋଇଛି ବୋଲି ଷ୍ଟିଲ୍ କହିଥିଲେ। 

ଆମେରିକାରେ ଅନେକ ସମୟରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି। ବିଶେଷ କରି ଖଲିସ୍ତାନୀ ଓ ଆମେରିକାର ଚରମପନ୍ଥୀ ମୈଳବାଦୀଙ୍କ ଦ୍ୱାରା ଟାର୍ଗେଟ୍ କରାଯାଉଛି। ଏନେଇ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ହିନ୍ଦୁମାନେ ଆପତ୍ତି ଉଠାଇଥିଲେ। ହିନ୍ଦୁ ସାଂସଦମାନେ ମଧ୍ୟ ଏନେଇ ସରକାରଙ୍କୁ ବାରମ୍ବାର ଘେରିବାକୁ ଚେଷ୍ଟା କରିଥିଲେ। ଏନେଇ ଆଇନ ପ୍ରଣୟନ କରିବାକୁ ଦାବି ହେଉଥିଲା। ଉତ୍ତର ଆମେରିକାର ହିନ୍ଦୁ ସଂଗଠନ(CoHNA ) ୨୦୨୩ ଠାରୁ ଏହି ପ୍ରୟାସରେ ରହିଥିଲା। ଏପ୍ରିଲ ୨୦୨୩ରେ ଜର୍ଜିଆ ସାଧାରଣ ସଭାରେ ହିନ୍ଦୁଫୋବିଆକୁ ନିନ୍ଦା କରି ଏକ ପ୍ରସ୍ତାବ ପାରିତ କରିଥିଲା।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.