ନୂଆଦିଲ୍ଲୀ ୦୯/୦୮: ଥମିଛି ଯୁଦ୍ଧ, ଥମିଛି ହମ୍ଲା । ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଗାଜାପଟିରେ ଦୁର୍ଭିକ୍ଷ ଭଳି କରୁଣ ସ୍ଥିତି । ଜୁଆଡେ ଚାହିଁଲେ ହାହାକାର ପରିସ୍ଥିତି । ମାଟିରେ ମିଶିଛି ସୁନାର ଫସଲ । ଉଜୁଡିଯାଇଛି ବର୍ଷକର ଅମଳ । ନା ମୁଠାଏ ଦାନା ମିଳୁଛି ନା ଆଞ୍ଜୁଳାଏ ପାଣି ମିଳୁଛି । ସ୍ଥିତି ଏମିତି ଯେ, କୁପୋଷଣର ଶିକାର ହେଉଛନ୍ତି ଲୋକେ । ପ୍ରତିଦିନ ଯାଉଛି ନୀରିହ ଜୀବନ । ଏହାରି ଭିତରେ ଗାଜାବାସୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଅନେକ ଦେଶ । ସେଠାକାର ଲୋକଙ୍କ ପାଇଁ ପଠାଉଛନ୍ତି ଖାଦ୍ୟ । ଡ୍ରୋନ ଜରିଆରେ ପହଞ୍ଚୁଛି ଖାଦ୍ୟ ସାମଗ୍ରୀ ।
ରିଲିଫ୍ ନେବାକୁ ବାଡାବାଡି । ଏମିତିକି ଲୋକମାନେ ଟ୍ରକ୍ ଉପରେ ଚଢ଼ି ରାସନ୍ ନେବାକୁ ଟଣାଓଟରା । କିଛି ଖସିପଡିଲେ ବି ଛାଡୁନାହାଁନ୍ତି ।ପ୍ରତିଯୋଗିତାରେ ଅନେକ ଲୋକ ଆହତ ମଧ୍ୟ ହେଉଛନ୍ତି । ଜାତିସଂଘ ରିପୋର୍ଟରେ ବି ଏକାଧିକ ଜୀବନ ଯାଇଥିବା ସ୍ପଷ୍ଟ । ତେବେ କ୍ଷୁଧାର ଆତୁର ଲୋକଙ୍କୁ ଆସୁଥିବା ରିଲିଫ୍ ସାମଗ୍ରୀ ସମୁଦ୍ରକୁ ସଂଖେ ପରି । କେବଳ ଟ୍ରକ ନୁହେଁ ଆକାଶ ପଥ ଓ ସ୍ଥଳପଥରୁ ବି ହେଉଛି ରିଲିଫ୍ ବର୍ଷା ।
ଖାସ୍ କରି ବାୟୁ ପଥ ମାଧ୍ୟମରେ କାନାଡା ପଠାଇଛି ୨୧,୬୦୦ ପାଉଣ୍ଡ ସହାୟତା । କିନ୍ତୁ ସଂଘର୍ଷ ମଧ୍ୟରେ ସାଧାରଣ ଲୋକଙ୍କୁ ସାହାଯ୍ୟ ଯୋଗାଇବା ହୋଇପଡିଛି କଷ୍ଟକର । ଡ୍ରୋନ୍ ଓ ହେଲିକପ୍ଟର ଭଳି ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପକରଣ ଜୀବନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଡ୍ରୋନ୍ ଜରିଆରେ ଲୋକଙ୍କୁ ଦିଆଯାଉଛି ମଇଦା, ଚିନିରେ ପ୍ରସ୍ତୁତ ଖାଦ୍ୟର ପ୍ୟାକେଟ । ଡ୍ରୋନ୍ ମାଧ୍ୟମରେ ଲକ୍ଷ୍ୟସ୍ଥଳରେ ପକାଯାଉଛି ହାଲୁକା ପ୍ୟାକେଟ ।
ଗାଜାର କିଛି ଅଂଶରେ ଯୁଦ୍ଧବିରତି ଘୋଷଣା ହୋଇଛି । ସେଠାକାର ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଜାତିସଂଘ (UN) ପାଇଁ ସୁରକ୍ଷିତ ରାସ୍ତା ସୃଷ୍ଟି କରିଛି। ଇସ୍ରାଏଲ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଗାଜାରେ ବାହ୍ୟ ସହାୟତାକୁ ନିଷେଧ କରିଥିଲା। ୨୨ ମାସ ଧରି ଚାଲିଥିବା ଯୁଦ୍ଧ ଫଳରେ ଗାଜା ଧ୍ୱଂସ ହୋଇଛି । ଗୋଟିଏ ପଟେ, ଏଠାରେ ଲୋକମାନେ ଭୋକରେ ମରୁଛନ୍ତି । ଅନ୍ୟପଟେ, ସେମାନଙ୍କ ଉପରେ ଗୁଳି ବିନିମୟ ବି ଜାରି ରହିଛି ।
ପରିସ୍ଥିତିକୁ ଦେଖି, ବିଶ୍ୱର ବିଭିନ୍ନ ଏଜେନ୍ସିଗୁଡ଼ିକ ରିଲିଫ୍ ବୃଦ୍ଧି କରିବାକୁ ନିବେଦନ କରୁଛନ୍ତି। ଜାତିସଂଘ ସ୍ପଷ୍ଟ ଭାବରେ କହିଛି ଯେ କେବଳ ଆକାଶ ମାଧ୍ୟମରେ ସହାୟତା ଯୋଗାଇବା ଦ୍ୱାରା ଗାଜାରେ ସଙ୍କଟର ସମାଧାନ ହୋଇପାରିବ ନାହିଁ। ସ୍ଥଳପଥ ମାଧ୍ୟମରେ ବଡ଼ ପରିମାଣରେ ରିଲିଫ୍ ଯୋଗାଇବାକୁ ପଡିବ।
ମାନବୀୟ ସାହାଯ୍ୟରେ ବାଧା ସୃଷ୍ଟି କରୁଛି ଇସ୍ରାଏଲ ସେନା । ଗାଜା ସରକାରୀ କାର୍ଯ୍ୟାଳୟ ଏପରି ଖୁଲାସା କରାଯାଇଛି । ଫଳରେ ସହାୟତା କରିବାକୁ ଆସିଥିବା ସେନା ଟ୍ରକଟିକୁ ଅସୁରକ୍ଷିତ ରାସ୍ତା ଦେଇ ଯାତ୍ରା କରିବାକୁ ବାଧ୍ୟ କରଯାଇଥିଲା । ଯେଉଁବାଟେ ପୂର୍ବରୁ ବୋମା ମାଡ଼ କରାଯାଇଥିଲା । ଗାଜା ପ୍ରଶାସନ କହିଛି ଅରାଜକତା ସୃଷ୍ଟି ହେବାରେ ଲାଗୁଛି । ଲୋକେ ପ୍ରଥମ ଦେଖାରେ ରିଲିଫ୍ ଟ୍ରକକୁ ଆକ୍ରମଣ କରୁଛନ୍ତି । ଟ୍ରକରୁ ସାମଗ୍ରୀ ଲୁଟୁଛନ୍ତି । ଏହା ଏକ ପରିଣାମ ଯାହା ଇସ୍ରାଏଲ ଜାଣିଶୁଣି କରୁଛି।