ଅଟା ବସ୍ତାରେ ଇସ୍ରାଏଲ ମିଶାଉଛି ଅକ୍ସିକୋଡୋନ୍‌ ! ପାଲେଷ୍ଟାଇନ ପ୍ରଶାସନର ଅଭିଯୋଗ ପରେ ଗାଜାବାସୀ ଆତଙ୍କିତ

Published By : Prameya-News7 Bureau | June 28, 2025 IST

News7

ନୂଆଦିଲ୍ଲୀ: ଆମେରିକାରୁ ଆସୁଥିବା ଅଟା ବସ୍ତାରେ ଇସ୍ରାଏଲ ମିଶାଉଛି ପ୍ରାଣଘାତୀ ମେଡିସିନ। ପାଲେଷ୍ଟାଇନ ପ୍ରଶାସନର ଏହି ସଙ୍ଗୀନ ଅଭିଯୋଗ ପରେ ଗାଜାବାସୀ ଆତଙ୍କିତ। ଆମେରିକୀୟ ସହାୟତା କେନ୍ଦ୍ରଗୁଡ଼ିକରେ ବଣ୍ଟାଯାଉଥିବା ଅଟା ବସ୍ତାରେ ମିଳିଛି 'ଅକ୍ସିକୋଡୋନ୍' ନାମକ ଏକ ଔଷଧ। ଏହି ଔଷଧ ଜାଣିଶୁଣି ଅଟାରେ ମିଶାଯାଇଥିବା ଦାବି କରିଛନ୍ତି ଗାଜା ପ୍ରଶାସନ। ଅକ୍ସିକୋଡୋନ୍ ଏକ ପ୍ରକାରର ପେନ କିଲର୍ ଯାହା କେବଳ ଡାକ୍ତରଙ୍କ ପରାମର୍ଶରେ ଦିଆଯାଏ। ବିନା ପରାମର୍ଶରେ ଏହି ଔଷଧ ମଣିଷ ପାଇଁ ବିପଦଜନକ ହୋଇପାରେ ବୋଲି କହିଛନ୍ତି ଗାଜାର ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଅକ୍ସିକୋଡୋନ୍ ଓପିଓଏଡ୍ ଫାମିଲି ବା ଅଫିମ ଜାତୀୟ ଔଷଧ। ସାଧାରଣ ପେନ୍ କିଲର୍ କାମ ନ କଲେ ଏହାକୁ ହାଇ ଡୋଜ୍ ଭାବେ ଦିଆଯାଏ। ବିଶେଷକରି କର୍କଟ ରୋଗୀଙ୍କ ପାଇଁ କିମ୍ବା ଅସ୍ତ୍ରୋପଚାର ପରେ ଗଭୀର ଯନ୍ତ୍ରଣା ଦୂର କରିବା ପାଇଁ ଏହା ବ୍ୟବହାର କରାଯାଏ। ପାଲେଷ୍ଟାଇନ ଡାକ୍ତର ଓମାର ହମ୍ମାଦ କହିଛନ୍ତି, ଏହି ଔଷଧର ସମସ୍ୟା ହେଉଛି ଯେ ଏହା ସ୍ନାୟୁ ପ୍ରଣାଳୀରେ ନିର୍ଦ୍ଦିଷ୍ଟ ରିସେପ୍ଟର ଉପରେ କାର୍ଯ୍ୟ କରେ।

ଏହାକୁ ମଣିଷ ସେବନ କଲେ ଅଧିକ ନିଶା ସୃଷ୍ଟି କରିପାରେ। ହାର୍ଟ ବିଟ୍ କମାଇ ଦେଇପାରେ । ଶରୀରର ଚେତନାକୁ ଦୁର୍ବଳ କରିପାରେ। ଅନେକ ସମୟରେ ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଏହାର ସାଇଡ୍ ଇଫେକ୍ଟ ବହୁତ ଅଧିକ। ଯଦି ଡାକ୍ତରୀ ପରାମର୍ଶ ବିନା ନିଆଯାଇଥାଏ, ତେବେ ଏହାର ପ୍ରଭାବରେ ଜଣେ ଭଲ ବ୍ୟକ୍ତିର ଶରୀରର ଅଙ୍ଗକୁ ବ୍ୟାପକ କ୍ଷତି ପହଞ୍ଚାଏ। 

ଦକ୍ଷିଣ ଏବଂ କେନ୍ଦ୍ରୀୟ ଗାଜାରେ ୪ ସହାୟତା ବଣ୍ଟନ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଇସ୍ରାଏଲୀ ଗଣମାଧ୍ୟମ କହୁଛି ଯେ ଏହାର ଲକ୍ଷ୍ୟ ହେଉଛି ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ପାଲେଷ୍ଟାଇନୀମାନଙ୍କୁ ପଠାଇବା। ଇସ୍ରାଏଲର ଏହି ଯୋଜନାକୁ ଅନ୍ତର୍ଜାତୀୟ ସମୁଦାୟ ଏବଂ ଜାତିସଂଘ ବିରୋଧ କରିଥିଲା। ଇସ୍ରାଏଲର ଏହି ବ୍ୟବସ୍ଥା ଜାତିସଂଘ ବଣ୍ଟନ କେନ୍ଦ୍ରଗୁଡ଼ିକୁ ବଦଳାଇ ଦେଇଛି।

ଏହି ନୂତନ ବଣ୍ଟନ କେନ୍ଦ୍ରଗୁଡ଼ିକ ନିକଟରେ ଆକ୍ରମଣ ହେବାର ବାରମ୍ବାର ରିପୋର୍ଟ ଆସୁଛି। ଖାଦ୍ୟ ନେଇଯାଉଥିବା ପାଲେଷ୍ଟିନୀୟଙ୍କ ଉପରେ ଇସ୍ରାଏଲୀ ସୈନିକମାନେ ଗୁଳିଚାଳନା କରୁଥିବା ଅଭିଯୋଗ ହୋଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମେ ୨୭ ତାରିଖରୁ ସହାୟତା କେନ୍ଦ୍ର ଏବଂ ଜାତିସଂଘର ଖାଦ୍ୟ ଟ୍ରକ୍ ସ୍ଥାନ ନିକଟରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୫୪୯ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ୪ ହଜାରରୁ ଅଧିକ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.