ଶୋଚନୀୟ ପରାଜୟ ପରେ ଗୌତିଙ୍କ ଉପରେ ଲାଗିଲା ଗମ୍ଭୀର ଅଭିଯୋଗ, ପଡିପାରେ ମହଙ୍ଗା

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ ୦୪/୧୧: ଘରୋଇ ପିଚ୍‌ରେ ମାଟି କାମୁଡିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ ଲଜ୍ଜାଜନକ ସିରିଜ୍ ପରାଜୟ ହାତେଇଛି ଭାରତୀୟ ଦଳ । ଆଉ ଏଭଳି ପରାଜୟ ପରେ ସବୁଆଡୁ ମୁଣ୍ଡ ଟେକିଛି ସମାଲୋଚନା । ପୂର୍ବତନ ଖେଳାଳିମାନେ ରଖିବାରେ ଲାଗିଛନ୍ତି ଭିନ୍ନ ଭିନ୍ନ ମତ । 

ଏହାରି ଭିତରେ ଭାରତୀୟ ଦଳର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରାଜୟ ପରେ ସେମାନେ କ୍ୟାପଟେନ୍, କୋଚଙ୍କ କାର୍ଯ୍ୟଦକ୍ଷତା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯାହା ଶୁଣିବାକୁ ମିଳୁଛି କି, ବିସିସିଆଇ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଇପାରେ । ବିିସିସିଆଇ ବିଭିନ୍ନ ସିରିଜ ପାଇଁ ଦଳ ଚୟନ ପ୍ରସଙ୍ଗରେ ଗମ୍ଭୀରଙ୍କୁ ମଧ୍ୟ ଅନେକ ସ୍ୱାଧୀନତା ଦେଇଥାଏ । ତଥାପି ଦଳର ପ୍ରଦର୍ଶନ ସେତେଟା ଆଖିଦୃଶିଆ ହୋଇନି । 

ବିସିସିଆଇର ନିୟମ  ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଚୟନ କମିଟିର ଅଂଶ ହୋଇନଥାନ୍ତି । କିନ୍ତୁ ବର୍ଡର-ଗାଭାସ୍କର ସିରିଜ୍ ପାଇଁ ମନୋନୀତ ଦଳର ଚୟନ କମିଟି ବୈଠକରେ ସାମିଲ ହୋଇଥିଲେ ଗମ୍ଭୀର । ଆହୁରି ବି ତାଙ୍କ ପରାମର୍ଶ ଟେଷ୍ଟ ଦଳରେ ହର୍ଷିତ ରାଣାଙ୍କୁ ଚାନ୍ସ ମିଳିଥିଲା । ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ହର୍ଷିତ ରାଣାଙ୍କର ଅଧିକ ଅଭିଜ୍ଞତା ନଥିଲେ ବି ତାଙ୍କୁ ଅଷ୍ଟ୍ରେଲିଆ ପରି ବଡ ଦଳ ବିପକ୍ଷରେ ସିଲେକ୍ସନ ହୋଇଥିଲେ । 

ଯଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦଳର ପ୍ରଦର୍ଶନରେ କୌଣସି ଉନ୍ନତି ପରିଲକ୍ଷିତ ନହୁଏ, ତେବେ ଭବିଷ୍ୟତରେ ସେ ଦଳ ଚୟନ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଉ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ନାହିଁ ବୋଲି କୁହାଯାଉଛି। ମୁଖ୍ୟ ପ୍ରଶିକ୍ଷକ ଭାବେ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ୨୭ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ସିରିଜ ହାରିଥିଲା। 

ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଘରୋଇ ମାଟିରେ ଭାରତ ୦-୩ରେ ସିରିଜ ହାରିଛି। ଏହା ପୂର୍ବରୁ ତିନି କିମ୍ବା ଅଧିକ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ କେବେ ଏଭଳି ଲଜ୍ଜାଜନକ ରେକର୍ଡ କରିନଥିଲା । ଜଣେ ପ୍ରଶିକ୍ଷକ ଟିମ୍ ସହିତ ଖେଳକୁ ନେଇ ଯୋଜନା କରିପାରିବେ। କିନ୍ତୁ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ଦୁର୍ବଳତା ଜାଣିବା ସତ୍ତ୍ୱେ ମୁମ୍ବାଇରେ ସମ୍ପୂର୍ଣ୍ଣ ସ୍ପିନରଙ୍କୁ ସୁହାଇଲା ଭଳି ପିଚ୍ ଚୟନ କରିବାକୁ ନେଇ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠିଛି। 

ଖାଲି ସେତିକି ନୁହେଁ, ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ସନ୍ଧ୍ୟାରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ନାଇଟ୍-ୱାଚର୍ ଭାବରେ ପଠାଇବା ଏବଂ ପ୍ରଥମ ଇନିଂସରେ ସରଫରାଜ ଖାନଙ୍କୁ ଆଠ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଇବା ନିଷ୍ପତ୍ତି ଉପରେ ମଧ୍ୟ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.