ନୂଆଦିଲ୍ଲୀ ୨୮।୭: ଲୋକସଭାରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୂର ଉପରେ ଚର୍ଚ୍ଚା ଆରମ୍ଭ କରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ଅପରପଟେ ବିରୋଧୀ ଦଳଙ୍କ ପକ୍ଷରୁ ବିତର୍କ ଆରମ୍ଭ କରି କଂଗ୍ରେସ ସାଂସଦ ଗୌରବ ଗୋଗଇ ରାଜନାଥଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। କହିଛନ୍ତି ଆଦରଣୀୟ ରକ୍ଷାମନ୍ତ୍ରୀ ସଦନକୁ ଏହା ଜଣାଇଲେନି ପହଲଗାମ ବେସରନକୁ ଆତଙ୍କବାଦୀ ଆସିଲେ କୁଆଡୁ?
ଗୋଗଇ କହିଛନ୍ତି ଯେ ରକ୍ଷାମନ୍ତ୍ରୀ ଏହା ମଧ୍ୟ ଜଣାଇ ନାହାନ୍ତି ସେହି ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ କଣଥିଲା? ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଥମ ବକ୍ତା ଭାବେ ଗୋଗଇ କହିଛନ୍ତି ଯେ ଗୃହ ପହଲଗାମର, ଅପରେସନ ସିନ୍ଦୂରର ଓ ଭାରତର ବିଦେଶ ନୀତିର ସତ୍ୟତା ଜାଣିବାକୁ ଚାହେଁ। ଗୋଗଇ କହିଛନ୍ତି ଯେ ରାଜନାଥ ସିଂହ ତାଙ୍କ ବକ୍ତବ୍ୟରେ ଅନେକ କଥା କହିଛନ୍ତି, ହେଲେ ସେ ଏହା କହି ନାହାନ୍ତି ପହଲଗାମର ବେସରନକୁ ଆତଙ୍କବାଦୀ ଆସିଲେ କୁଆଡୁ? ସେ ଏହା ବି କହିନାହାନ୍ତି ଯେ କିପରି ୫ ଜଣ ଲୋକ ବେସରନରେ ପଶି ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିରେ ଛାଇଦେଲେ?
ଗୋଗଇ କହିଛନ୍ତି ଯେ ଆମେ ବିରୋଧୀଦଳ ଆମର କର୍ତ୍ତବ୍ୟ ହେଉଛି ପ୍ରଶ୍ନ କରିବା, ଦେଶ ହୀତ ଲାଗି ପ୍ରଶ୍ନ କରିବୁ। ଦେଶ ଜାଣିବାକୁ ଚାହୁଁଛି ୫ ଆତଙ୍କବାଦୀ ପଶିଲେ କିପରି?ସେ କହିଛନ୍ତି ଯେ ପହଲଗାମ ଆକ୍ରମଣକୁ ଇତିମଧ୍ୟରେ ୧୦୦ ଦିନ ବିତିଗଲାଣି। ହେଲେ ଏହି ସରକାର ଏ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ନ୍ୟାୟର କାଠଗଡ଼ାକୁ ପହଞ୍ଚାଇ ପାରିଲେନି। ଗୋଗଇ କହିଛନ୍ତି ଯେ ପୁଲବାମା ଆକ୍ରମଣ କାଳରେ ଏହା ବି କୁହାଯାଇଥିଲା ଓ ଆଜି ବି ସେଇଆ କୁହାଯାଉଛି ଯେ ଆମେ ‘ପଶିକି ମାରିବୁ’। ହେଲେ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ସେନା ନିୟନ୍ତ୍ରଣକୁ ନେଲାନି କାହିଁକି?
ସେ କହିଛନ୍ତି ଯେ ରାଜନାଥ ସିଂହଙ୍କ କହିବା କଥା ହେଲା ଆମର ଉଦ୍ଦେଶ୍ୟ ଯୁଦ୍ଧ ନଥିଲ, ତେବେ ମୁଁ ପଚାରିବାକୁ ଚାହୁଁଛି କାହିଁ କି ନଥିଲା? ଯୁଦ୍ଧ ହେବାର ଥିଲା। ସେ କହିଛନ୍ତି ଯେ ଆମର ଉଦ୍ଦେଶ୍ୟ ଜମି ନେବାର ନଥିଲା, କାହିଁକି ନଥିଲା? ପିଓକେକୁ ଆଜି ନେବା ନି ତ କେବେ ନେବା?