ଭୁଜାଲି-ବନ୍ଧୁକ ମୁନରେ ବଡ଼ଧରଣର ଲୁଟ୍, ହାତ-ଗୋଡ଼ ବାନ୍ଧି ନେଇଗଲେ ୭୦ ଲକ୍ଷ ଟଙ୍କା

NEWS7
gas-tank-leaks-and-burns-home-husband-wife-and-younger-brother-serious

ଉମରକୋଟ ୨୩।୦୨ : ବେକରେ ଲାଗିଲା ଭୁଜାଲି, ମୁଣ୍ଡରେ ରଖିଲେ ବନ୍ଧୁକ । ଘର ମାଲିକକୁ ବାନ୍ଧି ଲୁଟି ନେଲେ ୭୦ ଲକ୍ଷ ଟଙ୍କା ସହ ବିପୁଳ ସୁନା ଅଳଙ୍କାର । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋଚନିଆମ୍ବା ଗାଁରେ ଘଟିଛି ଏପରି ସଶସ୍ତ୍ର ଡକାୟତି । ପୋଲିସ ଘଟଣାସ୍ଥଳରୁ ଛାନ୍ଭିନ୍ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, କୋଚନିଆମ୍ବା ଗାଁର ଅମୁଲ୍ୟ ଜେନା କିଛି ମାସ ତଳେ ଜମି ବିକ୍ରି କରି ଘରେ ୭୦ ଲକ୍ଷ ଟଙ୍କା ରଖିଥିଲେ । ରବିବାର ବିଳମ୍ବିତ ରାତିରେ ସେ ଘରେ ଏକୁଟିଆ ଥିବା ସମୟରେ ୬ ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘର ଭିତରକୁ ଆସିଥିଲେ । ଏହାପରେ ଅମୁଲ୍ୟଙ୍କ ବେକରେ ଭୁଜାଲି ଲଗାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏପିରିକିକୁ ତାଙ୍କ ହାତଗୋଡ଼ ବାନ୍ଧି ପକାଇ ଦେଇଥିଲେ । ଏହାପରେ ଗୋଦ୍ରେଜ୍ରୁ ୭୦ ଲକ୍ଷ ନଗଦ ଟଙ୍କା, ୧୪ଟି ସୁନା ମୁଦି, ୩ଟି ସୁନା ଲକେଟ୍ ଓ କାନଫୁଲ ଲୁଟ୍ କରି ଚମ୍ପଟ ମାରିଥିଲେ ।

ସେପଟେ ଲୁଟେରାମାନେ ଯିବା ପରେ ଅମୁଲ୍ୟ ବହୁ କଷ୍ଟରେ ବନ୍ଧନରୁ ମୁକୁଳିଥିଲେ । ଏହାପରେ ପରିବାର ଲୋକେ ଓ ପୋଲିସକୁ ଖବର ଦେଇଥିଲେ । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି । ବର୍ତ୍ତମାନ ଯାଏଁ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ ମିଳିନାହିଁ । ବାକି ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ତଦନ୍ତରେ ଅଧିକ ସହଯୋଗ ମିଳିବ ବୋଲି ଆଶା କରାଯାଉଛି ।