ବାରଣାସୀରେ ବିପଦ ସଂକେତ ପାର କଲା ଗଙ୍ଗା, ୧୯୭୮ ବନ୍ୟା ରେକର୍ଡ ଭାଙ୍ଗିବାର ଆଶଙ୍କା

Published By : Prameya-News7 Bureau | August 01, 2025 IST

ବାରଣାସୀ ୧।୮: ଉତ୍ତରପ୍ରଦେଶ ବାରଣାସୀରେ ଗଙ୍ଗା ନଦୀ ଶୁକ୍ରବାର ସନ୍ଧ୍ୟାରେ ଚେତାବନୀ ବିନ୍ଦୁ ଟପି ବିପଦ ସଂକେତ ଆଡକୁ ବଢିବାରେ ଲାଗିଛି। ଗଙ୍ଗା ଲଗାତାର ଉଛୁଳିବା ଏବଂ ଓଲଟା ପ୍ରବାହିତ ହେବା ଯୋଗୁ ସହାୟକ ନଦୀ ବଋଣା ଉଗ୍ର ରୂପ ଧାରଣ କରିଛି। ଉଭୟ ନଦୀ କୂଳ ଏବେ ବନ୍ୟା ପାଣିରେ ବୁଡି ଯାଇଛି। ନଦୀ ବଢିବା ଯୋଗୁ ଉପକୂଳ ଅଞ୍ଚଳର ଜନଜୀବନ ଗୁରୁତ୍ତର ପ୍ରଭାବିତ ହୋଇଛି। ପରିସ୍ଥିତି ବିଷମ ହେଉଥିବା ଦେଖି ଅନେକ ଲୋକ ଘର ଛାଡି ପଳାଇଲେଣି। 

ଏବେ ମଣିକର୍ଣ୍ଣିକା ଘାଟ ଗଳିରେ ପୁଣି ଥରେ ନୌକା ଚାଲିଲାଣି। ରାଜ୍ୟ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ବାରଣାସୀ ଜିଲ୍ଲା ପ୍ରଶାସନ, ଏନଡିଆରଏଫ ଓ ଜଳ ପୋଲିସ ସମ୍ପୂର୍ଣ୍ଣ ଆଲର୍ଟ ମୋଡରେ ଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନରେ ବାରଣାସୀ କ୍ଷେତ୍ର କମିଶନର ଏସ. ରାଜଲିଙ୍ଗମ, ଉପ ମହାନିରୀକ୍ଷକ, ଏନଡିଆରଏଫ ମିଳିତ ବନ୍ୟା ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। 

ଉପମହାନିରୀକ୍ଷକ କହିଛନ୍ତି ଯେ ଏନଡିଆରଏଫ ଟିମ୍ ପ୍ରତ୍ୟେକ ସ୍ତରରେ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରଖି ରହିଛି। ଯଦି ଆବଶ୍ୟକ ପଡେ ତ୍ୱରିତ ଉଦ୍ଧାର ଓ ରିଲିଫ ସହାୟତା ନିମନ୍ତେ ପ୍ରସ୍ତୁତ ରହିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅନୁସାରେ ଗଙ୍ଗା ଜଳ ସ୍ତର ଶୁକ୍ରବାର ଅପରାହ୍ନରେ ଚେତାବନୀ ବିନ୍ଦୁ ୭୦.୨୬୨କୁ ପାର କରିଥିଲା। ଅପରାହ୍ନ ୪ଟା ବେଳେ ଗଙ୍ଗା ଜଳ ସ୍ତର ୭୦.୨୮ ମିଟର ରେକର୍ଡ ହୋଇଛି। ବାରଣାସୀରେ ବିପଦ ସଂକେତ ୭୧.୨୬୨ ମିଟର ରହିଛି। ଏଥିରେ ନଦୀର ଜଳ ସ୍ତର ପ୍ରତି ଘଣ୍ଟା ୪ ସେଣ୍ଟିମିଟର ଲେଖାଏଁ ବଢୁଛି। 

ଏଣୁ ଜଳ ଆୟୋଗ ଆଶଙ୍କା କରୁଛନ୍ତି ଏ ଥର ବାରଣାସୀରେ ଗଙ୍ଗା ୧୯୭୮ମସିହାର ଭୟାବହ ବନ୍ୟାର ରେକର୍ଡ ଭାଙ୍ଗିପାରେ। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହେଉଥିବା ବର୍ଷା ଓ ପାହାଡରୁ ଲଗାତାର ବହି ଆସୁଥିବା ପାଣି ଯୋଗୁ କେନ, ବେତବା ଓ ଚମ୍ବଲ ନଦୀ ବନ୍ଧରୁ ୧୦ ଲକ୍ଷ କ୍ୟୁସେକ୍ ପାଣି ଛଡାଯାଇଛି। ଏହି ପାଣି ଆଗାମୀ ୨-୩ଦିନରେ ପ୍ରୟାଗରାଜ ଦେଇ ବାରଣାସୀ ପହଞ୍ଚିବ। ଫଳରେ ପରିସ୍ଥିତି ଆହୁରି ଜଟିଳ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.