ଭୁବନେଶ୍ବର ୨୯।୬: ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ତୁରନ୍ତ ବ୍ୟାପକ ତଦନ୍ତ କରାଯାଉ ବୋଲି ଗଜପତି କହିଛନ୍ତି । ଘଟଣାର ପୁନରାବୃତ୍ତି ନହେବା ନେଇ ପଦକ୍ଷେପ ନିଆଯାଉ ।
ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଶନିବାର ରାତିରେ ଦଳାଚକଟା ଘଟି ୩ ଜଣ ଭକ୍ତଙ୍କ ପ୍ରାଣତ୍ୟାଗ କରିଥିବା ଏବଂ ଅନେକ ଭକ୍ତବୃନ୍ଦ ଆହତ ହୋଇଥିବା ଖବର ପାଇ ଗଜପତି ମହାରାଜା ମର୍ମାହତ ଏବଂ ଗଭୀର ଦୁଃଖିତ ।
ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ନିବେଦନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
ଗଜପତି ମହାରାଜା ଏହି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାର ତୁରନ୍ତ ବ୍ୟାପକ ତଦନ୍ତ କରିବା ଏବଂ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି I
You Can Read: