ପୁରୀ ୧୧/୦୬: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିବେ କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ । ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ ।
ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯିବ । ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ‘ସୁନା କୂଅ’ ।
ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ସୁବାସିତ ଜଳ, ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା ଏବଂ ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ଚକ୍ରରାଜ ପ୍ରଭୁ ଶ୍ରୀ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ ଏବଂ ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।