LIVE TV

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲାରେ ୧୫୦ଟି ବହୁମୁଖୀ ସମବାୟ ସମିତି ଗଠନ ସହ ୫୦ଟି କୃଷି ଉତ୍ପାଦ ସଂଗଠନ କରିବାକୁ ପରାମର୍ଶ

NEWS7
gaja-udharana-besha-in-puri-shree-mandira

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ହେଉଛି 'ସମବାୟରୁ ସମୃଦ୍ଧି' । ସ୍ୱାଧୀନତା ପୂର୍ବରୁ ଆମେ ସ୍ୱରାଜ ପାଇଁ ଲଢେଇ କରିଥିଲେ । ଆଜି ସମୃଦ୍ଧି ପାଇଁ ଯୋଜନା କରିବା ପାଇଁ ପଡ଼ିବ ବୋଲି ସୋମବାର ସମ୍ବଲପୁରରେ ‘ଜିଲ୍ଲାସ୍ତରୀୟ ସର୍ବଭାରତୀୟ ସମବାୟ ସପ୍ତାହ – ୨୦୨୫’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସର୍ବଭାରତୀୟ ୭୨ତମ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହ ସମବାୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ସମବାୟ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ । ଏହା କେବଳ ଏକ ବ୍ୟବସାୟିକ ମଡେଲ୍ ନୁହେଁ, ଏହା ହେଉଛି ଏକ ବିଚାର । ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ହେଉ କିମ୍ବା ସର୍ଦ୍ଦାର ପଟେଲଜୀଙ୍କ ଦ୍ୱାରା ପ୍ରେରିତ ଅମୂଲ୍ ଭଳି ସଂସ୍ଥା, ଏମାନେ ସମବାୟର ଶକ୍ତିଶାଳୀ ଉଦାହରଣ । ଗ୍ରାମୀଣ ଅର୍ଥନୀତି ଓ କୃଷକମାନଙ୍କୁ ସଶକ୍ତ କରିବାରେ ଏହି ବିଚାର ଅତୁଳନୀୟ ଭୂମିକା ଗ୍ରହଣ କରିଛି । ସମବାୟ କ୍ଷେତ୍ରକୁ ଦେଶର ବିକାଶର ମୂଳ ସ୍ରୋତରେ ସାମିଲ କରିବା ପାଇଁ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୂରଦୃଷ୍ଟି ଆଜି ସାରା ଦେଶରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି । ମୋଦୀ ସରକାର ସ୍ୱତନ୍ତ୍ର ଭାବରେ ସହକାରିତା ମନ୍ତ୍ରଣାଳୟ ଗଠନ କରି ଏହାର ଗୁରୁତ୍ୱକୁ ଦର୍ଶାଇଛନ୍ତି । ରାଜ୍ୟରେ ନୂଆ ସମୟବାୟ ନୀତି ଯୋଜନା ଚାଲିଛି । କେନ୍ଦ୍ରୀୟ ସମବାୟ ନୀତି ଆସିସାରିଛି । ସମବାୟ ମାଧ୍ୟମରେ ବହୁବିଧ ବ୍ୟବସାୟ କରାଇବା ଉପରେ ସରକାର ଯୋର୍ ଦେଉଛନ୍ତି ।

ସେ ଆହୁରି କହିଛନ୍ତି, ସମ୍ମାନଜନକ ଜୀବନ ବଞ୍ଚିବା ସମସ୍ତଙ୍କର ଅଧିକାର । ଆମେ ଯେତେବେଳେ ଗାଁର କ୍ଷୁଦ୍ର ଚାଷୀ, ମହିଳା ଏବଂ ଗରିବଙ୍କୁ ସମବାୟ ମାଧ୍ୟମରେ ସଂଯୋଗ କରିବା, ସେତେବେଳେ ଯାଇ ପ୍ରକୃତ ଅର୍ଥରେ 'ଆତ୍ମନିର୍ଭର ଭାରତ'ର ସ୍ୱପ୍ନ ସାକାର ହେବ । ସମବାୟ ଆମକୁ ଶିକ୍ଷା ଦିଏ ଯେ କେବଳ ବ୍ୟକ୍ତିଗତ ଉଦ୍ୟମରେ ନୁହେଁ, ବରଂ ସାମୂହିକ ପ୍ରୟାସରେ ହିଁ ପ୍ରକୃତ ସଫଳତା ମିଳେ । ଏହିପରି ଭାବରେ ସାମୂହିକ ପ୍ରୟାସ ମାଧ୍ୟମରେ ଆମେ ସମ୍ବଲପୁରରେ ସମ୍ପନ୍ନତା ଆଣିବା । ଶେଷରେ, ଆଗାମୀ ଦିନରେ ପ୍ରତି ପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଏଁ ସମବାୟ ପ୍ରଶିକ୍ଷଣ ଶିବିର କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ନୂଆପିଢ଼ିର ଯୁବକମାନଙ୍କୁ ସେଥିରେ ସାମିଲ କରିବା ପାଇଁ କହିଛନ୍ତି । ସମ୍ବଲପୁର ଜିଲ୍ଲାରେ ଆଗାମୀ ଦିନରେ ୧୫୦ଟି ବହୁମୁଖୀ ସମବାୟ ସମିତି ସହ ୫୦ଟି କୃଷି ଉତ୍ପାଦ ସଂଗଠନ(ଏଫପିଓ) ଗଠନ କରିବାକୁ ଆହ୍ୱାନ କରିଛନ୍ତି । ଆଗାମୀ ୨ ବର୍ଷ ଭିତରେ ଜିଲ୍ଲାର ସବୁ ପରିବାର ଏଫପିଓ କିମ୍ବା ସମବାୟ ସମିତିରେ ଯୋଡ଼ି ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।