ଏଚ୍‌ଓଡିଙ୍କୁ ତୁରନ୍ତ ହଟା ଯାଇଥିଲେ, ହୁଏତ ସୌମ୍ୟାଶ୍ରୀ ଆଜି ବଞ୍ଚିଯାଇଥାନ୍ତା

Published By : Prameya-News7 Bureau | July 17, 2025 IST

ବାଲେଶ୍ୱର ୧୭।୭: ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ  ନେଇ ଗୋଟିଏ ପରେ ଗୋଟିଏ  ଗୁମର ଖୋଲିବାରେ ଲାଗିଛି । ଏଭଳି ସ୍ଥିତିରେ ସୌମ୍ୟାଶ୍ରୀଙ୍କ ଜଣେ ସାଙ୍ଗ କିଛି ରହସ୍ୟ ଉନ୍ମୋଚନ କରିଥିବା ସୂଚନା ରହିଛି । ତାଙ୍କ ଅନୁସାରେ, ଘଟଣାଦିନ ପେଟ୍ରୋଲ କେଉଁଠୁ ଆସିଥିଲା ଯଦି  ଜଣାପଡ଼ିବ, ଅଧା ତଦନ୍ତ ସରିଯିବ ।  ଆଜି କେବଳ ସେ ଜଳିନି ଆମେ ବି ଜଳୁଛୁ । ଆମେ ସେ ପର୍ଯ୍ୟନ୍ତ ଜଳିବୁ ଯେପର୍ଯ୍ୟନ୍ତ ଠିକ୍‌ରେ ତଦନ୍ତ ନ ହୋଇଛି  ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି,  ସୌମ୍ୟାଶ୍ରୀ ବାରମ୍ବାର ବିଭିନ୍ନ ସ୍ଥାନରେ ତା’ର ଦୁଃଖ କହିଛି । ତା’ପରେ  ବି କିଛି ପିଲା ତାକୁ ଖରାପ ମନ୍ତବ୍ୟ  ଦେଇ ଟ୍ୱିଟ୍‌ କରିଥିଲେ, ସମାଲୋଚନା  କରୁଥିଲେ । ଯେଉଁଦିନ ଘଟଣା ଘଟିଲା  ଆମେ ଉପସ୍ଥିତ ନଥିଲୁ । ତା’ ସହିତ ପ୍ରିନ୍ସିପାଲଙ୍କ ଅଫିସକୁ ଯାଇନଥିଲୁ । ଆମର ସେଦିନ ପରୀକ୍ଷା ଥିଲା । ୧୦ଟା   ବେଳେ ପରୀକ୍ଷା ସରିଯାଇଥିଲା । ୧୨ଟା   ପର୍ଯ୍ୟନ୍ତ ଆମେ ଅପେକ୍ଷା କରିଥିଲୁ, କିନ୍ତୁ  ସେତେବେଳ ପର୍ଯ୍ୟନ୍ତ ପ୍ରିନ୍ସିପାଲ ତାକୁ  ଡାକି ନଥିଲେ । ଯେତେବେଳେ ଆମେ ଘରକୁ ପଳେଇଥିଲୁ, ସେତେବେଳେ  ତାକୁ ଡାକି କଥାବାର୍ତ୍ତା ହୋଇଥିଲେ ।  ପ୍ରିନ୍ସିପାଲ ତାକୁ ଅଭିଯୋଗର ପ୍ରମାଣ  ଦେବାକୁ କହିଥିଲେ । ଯଦି ଘଟଣା ଘଟିବା  ସମୟରେ ଆମେ ସେଠାରେ ଥାଆନ୍ତୁ,  ହୁଏତ ଏପରି ଘଟି ନଥାନ୍ତା । ପ୍ରମାଣ  ଦେଇ ନପାରିଲେ ତୁମ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ସୌମ୍ୟାଶ୍ରୀଙ୍କୁ ପ୍ରିନ୍ସିପାଲ କହିଥିଲେ ।  ସେ ପ୍ରମାଣ କେଉଁଠୁ ଆଣିଥାନ୍ତା ? ଏଚ୍‌ଓଡିଙ୍କ ସପକ୍ଷରେ ପାଖାପାଖି ୧୦୦ ପିଲା ପ୍ରିନ୍ସିପାଲଙ୍କୁ ଲିଖିତ ଜଣାଇଥିଲେ ।  ୨ରୁ୩ ଶହ ପିଲା ମଧ୍ୟ ଏଚ୍‌ଓଡିଙ୍କୁ ସମର୍ଥନ  କରୁଥିଲେ । ଯଦି ସେହି ସମୟରେ ସମସ୍ତେ ଆମ ସହିତ ଲଢ଼ିଥାନ୍ତେ,  ଏଚ୍‌ଓଡିଙ୍କୁ ତୁରନ୍ତ ହଟା ଯାଇଥାନ୍ତା, ହୁଏତ ସୌମ୍ୟାଶ୍ରୀ ଆଜି ବଞ୍ଚିଯାଇଥାନ୍ତା । ବଞ୍ଚିଥିଲା ବେଳେ ଯେଉଁମାନେ ଟାହିଟାପରା   କରୁଥିଲେ, ତା’ ମୃତ୍ୟୁ ପରେ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି । ସୌମ୍ୟାଶ୍ରୀ  ସପକ୍ଷରେ ମାତ୍ର ୧୦ ଜଣ ଥିଲୁ, କିନ୍ତୁ  ବିପକ୍ଷରେ ଥିଲେ ୨୦୦ରୁ ୩୦୦ ପିଲା ।  ସେମାନଙ୍କର ଛି’ଛାକର ଏବଂ ସୋସିଆଲ ମିଡିଆରେ କଟୁ ଟିପ୍ପଣୀକୁ ସହିନପାରି ଶେଷରେ ସୌମ୍ୟାଶ୍ରୀ ଜୀବନ ହାରିଦେଲା  ବୋଲି ତାଙ୍କ ସାଙ୍ଗ କହିଛନ୍ତି ।

You Can Read:

ସୁଶାସନ ପ୍ରତ୍ୟେକ ଲୋକର ଅଧିକାର, ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.