LIVE TV

ଦିଲ୍ଲୀରେ ୫ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ, ଜାଣନ୍ତୁ କେବେଠୁ ଖୋଲିବ ‘ଅଟଳ କ୍ୟାଣ୍ଟିନ’

NEWS7
fraud-allegation-against-director-in-bhubaneswar

ନୂଆଦିଲ୍ଲୀ ୧୭।୧୧: ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ଶସ୍ତା ଓ ଭଲ ଖାଦ୍ୟ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ‘ଅଟଳ କ୍ୟାଣ୍ଟିନ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅନୁସାରେ କ୍ୟାଣ୍ଟିନରେ ଲୋକଙ୍କୁ ମାତ୍ର ୫ ଟଙ୍କାରେ ପୌଷ୍ଟିକ ଓ ପୁରା ପେଟ ଖାଇବାକୁ ମିଳିବ। ସେହିପରି ଏହି କ୍ୟାଣ୍ଟିନ ଆରମ୍ଭ କରିବାରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସ୍ୱଳ୍ପ ଆୟକାରୀ ଶ୍ରମିକ, ରିକ୍ସା ଚାଳକ ଓ ଅନ୍ୟାନ୍ୟ କାମ କରୁଥିବା ଲୋକଙ୍କୁ ଦିନତମାମ କାମରେ ଅଳ୍ପ ମୂଲ୍ୟରେ ଉତ୍ତମ ମାନର ଖାଦ୍ୟ ଯୋଗାଇଦେବା ବୋଲି ରେଖା ଗୁପ୍ତା କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅଟଳ କ୍ୟାଣ୍ଟିନକୁ ନେଇ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨୫ ଡିସେମ୍ବର ଜନ୍ମଦିନ ଶୁଭ ଅବସରରେ ରାଜଧାନୀରେ ଅଟଳ କ୍ୟାଣ୍ଟିନ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଲୋକଙ୍କୁ ମାତ୍ର ୫ ଟଙ୍କାରେ ପୁରା ପେଟ ଖାଇବାକୁ ମିଳିବ। ଦିଲ୍ଲୀ ସରକାର ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ୧୦୦ଟି ସ୍ଥାନରେ ଏକ ସଙ୍ଗରେ ଅଟଳ କ୍ୟାଣ୍ଟିନ ଯୋଜନା ଆରମ୍ଭ କରିବେ। ଏହି କ୍ୟାଣ୍ଟିନ ସାଲିମାର ବାଗ୍, ରାଜେନ୍ଦ୍ର ନଗର, ରୋହିଣୀ, ପଟେଲ ନଗର, ବଦରପୁର ଓ କରାବଲ ନଗର ଆଦିରେ ଖୋଲିବ।

ଏହି ସବୁ କ୍ୟାଣ୍ଟିନରେ ଦିନ ଓ ରାତିରେ ଉଭୟ ବେଳା ଖାଦ୍ୟ ମିଳିବ ଓ ପ୍ରତ୍ୟେକ ଥର ୫୦୦ ଥାଳି ଉପଲବ୍ଧ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅନୁସାରେ ଦିଲ୍ଲୀ ସରକାରଙ୍କ ଲକ୍ଷ ରାଜଧାନୀ ଦିଲ୍ଲୀରେ ଯେପରି କେହି ଭୋକରେ ନ ସୁଏ। ଦିଲ୍ଲୀ ସରକାରଙ୍କ ଅନୁସାରେ ଅଟଳ କ୍ୟାଣ୍ଟିନରେ ମିଳିବାକୁ ଥିବା ଥାଳି ପୋଷଣକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ। ଏଥିରେ ଡାଲି, ଭାତ, ତରକାରୀ ଓ ରୁଟି ଭଳି ମୌଳିକ ତଥା ନ୍ୟୁଟ୍ରିସନ ରିଚ୍ ଆଇଟମ ସାମିଲ ହେବ। ଏହା ଛଡା ସ୍ୱଚ୍ଛତା ଓ କ୍ୱାଲିଟିକୁ ନେଇ କଡ଼ା ମନିଟରିଂ କରାଯିବ। ଯାହାଦ୍ୱାରା ଲୋକଙ୍କୁ ସୁରକ୍ଷିତ ଓ ତାଜା ଖାଦ୍ୟ ଖାଇବାକୁ ମିଳିବ।

ଏହା ଛଡା ଅଟଳ କ୍ୟାଣ୍ଟିନରେ ଖାଦ୍ୟର କ୍ୱାଲିଟି ନିଶ୍ଟିତ କରିବା ପାଇଁ ଏଫଏସଏସଏଆଇ ଓ ଏନଏବିଏଲ ମାନ୍ୟତା ପ୍ରାପ୍ତ ଲ୍ୟାବରେ ନିୟମିତ ଖାଦ୍ୟ ନମୁନା ଯାଞ୍ଚ ହେବ। ସେହିପରି ରୋଷେଇରେ ଆଧୁନିକ ଉପକରଣର ଉପଯୋଗ ହେବ। ଏଲପିଜି ଆଧାରିତ କୁକିଂ କରାଯିବ। ରୋଷେଇରେ ଇଣ୍ଡଷ୍ଟ୍ରିଆଲ ଆରଓ ପାଣିର ଉପଯୋଗ ହେବ ଓ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ମଧ୍ୟ କରାଯିବ। ସେହିପିର ଅଟଳ କ୍ୟାଣ୍ଟିନ ଯୋଜନା ସମ୍ପର୍କିତ ସବୁ ଏଜେନ୍ସୀଙ୍କୁ ଖାଦ୍ୟ ସୁରକ୍ଷା ଲାଇସେନ୍ସ, କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଓ ମାସିକ ରିପୋର୍ଟ ଜମା କରିବା ବାଧ୍ୟତାମୂଳକ ହେବ।