ପୁରୀ ୯।୭: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ବାହାରେ ଓ ଭିତରେ ଜଗିଥିଲେ ମାଳମାଳ ସୁରକ୍ଷାକର୍ମୀ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ଚାରି ଜଣ ଯୁବକ ।
ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବା ବେଳେ ନିଳାଦ୍ରୀ ବିଜେ ଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଠାରେ ଗଦା ହୋଇଥିବା ଅଳିଆ ଗଦା ଉପରେ ଚଢି ମେଘନାଦ ପାଚେରୀ ଉପରେ ଚଢି ଏହି ଯୁବକ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ତେବେ ଏହି ୪ ଜଣ ଯୁବକ କେଉଁ ଉଦ୍ଦେଶ୍ୟ ନେଇ ଚଢି ଭିତରକୁ ଗଲେ ଏବଂ ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ ।
ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଥିବା ଗୁଇନ୍ଦା ବିଭାଗ ତରଫରୁ ସତର୍କ କରାଯାଇଥିବା ବେଳେ ଏ ଦୃଶ୍ୟ ଶ୍ରୀମନ୍ଦିରକୁ ବିପଦରେ ପକାଉଛି ଏଥିରେ ସନ୍ଦେହ ନାହିଁ । ସେପଟେ ସମସ୍ତ ସୁରକ୍ଷାକର୍ମୀ ତିନି ରଥର ସୁରକ୍ଷା ସହ ଭକ୍ତଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଶ୍ରୀମନ୍ଦିର ବାହାର ଓ ଭିତର ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳା ଏବେ ପଦାରେ ପଡିଛି ।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣା । ଘଟଣାର ସିସିଟିଭି କ୍ୟାମେରା ଯାଞ୍ଚ କରାଯିବ । ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବ । ଏହା ଏକ ପାପ ଓ ନିନ୍ଦନୀୟ କାର୍ଯ୍ୟ । ଶ୍ରୀମନ୍ଦିର ସୁରକ୍ଷା ସହ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଳିଆ ଆବର୍ଜନା କେତେ ଦିନ ହେବ ଜମା ହୋଇ ରହିଥିଲା, କ'ଣ ପାଇଁ ଆବର୍ଜନା ସ୍ଥାନାନ୍ତର ହୋଇ ନଥିଲା ତାର ମଧ୍ୟ ତଦନ୍ତ କରାଯିବ । ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନଘଟିବ ସେ ଦିଗରେ କଡ଼ା ନଜର ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
You Can Read:
ଅଗଷ୍ଟ ମାସରେ ହୋଇପାରେ ରତ୍ନ ଗଣତି ମଣତି, ୨ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଲେଖାଯିବ ଚିଠି