ଅପେରା ସୂର୍ଯ୍ୟମନ୍ଦିର ସହ ଚୁକ୍ତି କରିନାହାନ୍ତି ପୀୟୂଷ, କୋର୍ଟଙ୍କ ରାୟକୁ ମାନିବେ : ଆସନ୍ତା ୧୪ ଯାଏଁ ମଞ୍ଚରେ କରିବେନି ଅଭିନୟ

NEWS7
four-person-died-in-road-accident-at-jeypur

ଭୁବନେଶ୍ବର ୧୨।୧: ୧୫ ଯାଏଁ ଝୁଲିଲା ପୀୟୂଷଙ୍କ ଭାଗ୍ୟ । ଆସନ୍ତା ୧୫ ତାରିଖରେ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ମାମଲାର ଶୁଣାଣି କରିବେ ଭୁବନେଶ୍ବର ସିଭିଲ୍ ଜଜ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ପୀୟୂଷ ତ୍ରିପାଠୀ । ଏଥି ସହ ଯାତ୍ରା ସିଂହବାହିନୀ ପ୍ରଯୋଜକ ସଂଜୀବ ପାଢ଼ୀଙ୍କ ସହ ଉଭୟ କୋର୍ଟଙ୍କ ନିକଟରେ ନିଜର ଜବାବ ଦାଖଲ କରିଛନ୍ତି । ମାମଲାର ଗୁରୁତ୍ବକୁ ଦେଖି ଏହାର ତୁରନ୍ତ ଶୁଣାଣି ପାଇଁ ୧୫ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେବେ ପୀୟୂଷଙ୍କ ଓକିଲ ତଥା ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀଙ୍କ କହିବା କଥା, ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ ପୀୟୂଷଙ୍କ ବିରୋଧରେ କୋର୍ଟରେ ଯେଉଁ ଅଭିଯୋଗ ହୋଇଛି ତା’ର କୌଣସି ବାସ୍ତବତା ନାହିଁ । ପୀୟୂଷ ମୋତେ ଦେଇଥିବା ତଥ୍ୟ ଅନୁସାରେ ସେ ଅପେରା ସୂର୍ଯ୍ୟ ମନ୍ଦିର ସହ ସେଭଳି କୌଣସି ଚୁକ୍ତି କରିନାହାନ୍ତି । ଅଭିନେତା ପୀୟୂଷ ତ୍ରିପାଠୀଙ୍କ ଅଧିକ ମାତ୍ରାରେ ଲୋକପ୍ରିୟତା ରହିଛି । ତେଣୁ ତାକୁ ନେଇ ବିବାଦ ଉପୁଜିଛି । ଆମେ ଆଶା କରିବୁ ଖୁବଶୀଘ୍ର ବିବାଦର ସମାଧାନ ହୋଇଯାଉ । ପୀୟୂଷ ଜଣେ ପ୍ରତିଭାବାନ୍ କଳାକାର । କେହି କାହାକୁ ଚାହିଁଲେ କିଛି ଦିନ ବନ୍ଦ କରି ରଖିପାରିବ । ବେଶୀ ଦିନ ପାଇଁ ନୁହେଁ । ଆମେ ନ୍ୟାୟିକ ପ୍ରକ୍ରିୟା ଉପରେ ବିଶ୍ବାସ ରଖିବା ଉଚିତ । ୧୫ ତାରିଖରେ କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ବୋଲି କହିଛନ୍ତି ପୀୟୂଷଙ୍କ ଓକିଲ ବିଭୂ ପ୍ରସାଦ ତ୍ରିପାଠୀ ।

ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଗତ ୬ ତାରିଖ ଦିନ ନିଜ ଏଜେଣ୍ଟଙ୍କ ଦ୍ବାରା ସିଭିଲ୍ ଜଜ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ । ଆଉ ୭ ତାରିଖ ଦିନ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ରୋକ୍ ଲଗାଇଥିଲେ କୋର୍ଟ । ତେବେ କୋର୍ଟଙ୍କ ନୋଟିସ ପାଇନଥିବାରୁ ୮ ତାରିଖରେ କଟକ ଜିଲ୍ଲା ଟାଙ୍ଗୀରେ ଯାତ୍ରା ସିଂହବାହିନୀ ମଞ୍ଚରେ ତୁ ମୋ ବଜରଙ୍ଗୀ ନାଟକରେ ଅଭିନୟ କରିଥିଲେ ପୀୟୂଷ । ୧୦ ତାରିଖରେ ପୀୟୂଷ କୋର୍ଟଙ୍କ ନୋଟିସ୍ ଗ୍ରହଣ କରିବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଭିନୟ ନକରିବାକୁ ଘୋଷଣା କଲେ । ଆଉ ଆଜି କୋର୍ଟରେ ନିଜ ପକ୍ଷ ରଖିଛନ୍ତି ପୀୟୂଷ । ତାଙ୍କୁ ଏବେ ୧୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ଦୀର୍ଘ ୬ମାସ ଯାତ୍ରାରୁ ବିରତି ପରେ ଜାନୁଆରୀ ୫ ତାରିଖରେ ଯାତ୍ରା ମଞ୍ଚକୁ ଫେରିଥିଲେ ପୀୟୂଷ । ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଯାତ୍ରା ସିଂହବାହିନୀ ମଞ୍ଚସ୍ଥ କରିଥିବା ନୂଆ ନାଟକ ତୁ ମୋ ବଜରଙ୍ଗୀରେ ଅଭିନୟ କରିଥିଲେ । ଦୀର୍ଘ ଦିନ ପରେ ପୀୟୂଷ ପୁଣି ଯାତ୍ରା ମଞ୍ଚକୁ ଫେରିଥିବାରୁ ତାଙ୍କୁ ବାଜାବାଣରେ ସ୍ବାଗତ କରିଥିଲେ ଅଗଣିତ ଫ୍ୟାନ୍ ।