ଇମ୍ଫାଲ ୩୦।୬: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ସୋମବାର ଅଜ୍ଞାତ ବନ୍ଧୁକଧାରୀ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କୁହାଯାଉଛି ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷ ବୟଷ୍କା ମହିଳା ମଧ୍ୟ ଅଛନ୍ତି। ପୋଲିସ ଅନୁସାରେ ଏହି ଗୁଳିକାଣ୍ଡ ଚୁରାଚାନ୍ଦପୁରର ମୋଙ୍ଗଜାଙ୍ଗ ଗାଁ ନିକଟରେ ହୋଇଛି। ଅପରାହ୍ନ ପ୍ରାୟ ୨ଟା ବେଳେ ଘଟିଥିବା ଏହି ଘଟଣାର ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି।
କୁହାଯାଉଛି ମୃତକମାନେ ଏକ କାରରେ ଯାଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଛି। ପୂର୍ବରୁ ଛକି ରହିଥିବା ବନ୍ଧୁକଧାରୀ ସେମାନଙ୍କ ଉପରକୁ ଆତର୍କିତ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣ କାର ଯାତ୍ରୀ ପ୍ରାଣ ହରାଇଛନ୍ତି। ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଘଟଣା ଚୁରାଚାନ୍ଦପୁର ସହରରୁ ପାଖାପାଖି ୭ କିଲୋମିଟର ଦୂରରେ ହୋଇଛି। ତେବେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଏହି କାରଯାତ୍ରୀଙ୍କ ମଧ୍ୟରେ ଥାଙ୍ଗବୋଇ ହାଓକିପ୍ ଓରଫ ଥାପି ଥିବା ଜଣାପଡିଛି। ଥାପି କୁକି ନ୍ୟାସନାଲ ଅର୍ଗାନାଇଜେସନ ଓ କୁକି ନ୍ୟାସନାଲ ଆର୍ମିର ଡେପୁଟି କମାଣ୍ଡର-ଇନ-ଚିଫ ବୋଲି ଜଣାପଡିଛି।
ଏହି ହତ୍ୟାକାଣ୍ଡ ଲାଗି କୌଣସି ସଙ୍ଗଠନ ଏ ପର୍ଯନ୍ତ ନିଜକୁ ଦାୟି କରି ନାହାନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ଓ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଘଟଣା ସ୍ଥଳକୁ ପୋଲିସ ଓ ଅତିରିକ୍ତ ସୁରକ୍ଷା ବଳଙ୍କୁ ପଠା ଯାଇଛି। ଘଟଣା ସ୍ଥଳରୁ ୧୨ରୁ ଅଧିକ ଖାଲି କାଟ୍ରିଜ ମିଳିଛି। ଅଞ୍ଚଳରେ ସୁରକ୍ଷା ବଳ ତଲାସ ଅଭିଯାନ ଚଳାଇଛନ୍ତି। ଗତ କିଛି ସମୟ ହେଲା ମଣିପୁରରେ ଜାତୀୟ ଓ ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଛି। ଏଥିରେ ଏହି ଗୁଳି କାଣ୍ଡରେ କୁକି ନେତାଙ୍କ ମୃତ୍ୟୁ ରାଜ୍ୟର ପରିସ୍ଥିତିକୁ ଅଧିକ ଜଟିଳ କରିପାରେ ବୋଲି ଆଶଙ୍କା କରାଯାଉଛି।
ଏହି ଗୁଳିକାଣ୍ଡ ପରେ ପ୍ରଶାସନ ସତର୍କ ହୋଇଯାଇଛି। ଲୋକଙ୍କୁ ଶାନ୍ତି କାୟମ ରଖିବା ସହ ଗୁଜବରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ଆଖପାଖ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜ ଦେଖାଯାଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି।