IPL 2026: ଜାଡେଜା ନୁହେଁ ରିୟାନ ପରାଗ, ନୂଆ ଅଧିନାୟକଙ୍କ ନାଁ ଘୋଷଣା କଲା ରାଜସ୍ଥାନ ରୟାଲ୍ସ

NEWS7
four-arrested-with-ganja-in-boudh

ଜୟପୁର: ରାଜସ୍ଥାନ ରୟାଲ୍ସ ଆଇପିଏଲ ୨୦୨୬ ପାଇଁ ନିଜର ନୂତନ ଅଧିନାୟକ ଘୋଷଣା କରିଛି। ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି। ନିଲାମ ପୂର୍ବରୁ ରାଜସ୍ଥାନରୁ ସଞ୍ଜୁ ସାମସନ ଚେନ୍ନାଇ ସୁପର କିଙ୍ଗସକୁ ଯାଇଥିଲେ । ତାଙ୍କ ସ୍ଥାନରେ ଆରଆରକୁ ଆସିଥିବା ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରାଯାଇପାରେ ବୋଲି କୁହାଯାଉଥିଲା । କିନ୍ତୁ ଦଳ ରିୟାନ ପରାଗଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ୨୦୨୫ ଆଇପିଏଲରେ ସଞ୍ଜୁ ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗ କିଛି ମ୍ୟାଚ୍ରେ ଦଳର ଅଧିନାୟକ ହୋଇଥିଲେ। ଏହା ଫଳରେ ଭବିଷ୍ୟତରେ ତାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇପାରେ ବୋଲି ସୂଚନା ମିଳିଥିଲା ଏବଂ ଶେଷରେ ତାହା ହିଁ ହେଲା।

ରିୟାନ ପରାଗ ରାଜସ୍ଥାନର ସପ୍ତମ ଅଧିନାୟକ । ତାଙ୍କ ପୂର୍ବରୁ ଶେନ୍ ୱାର୍ଣ୍ଣ, ଶେନ୍ ୱାଟସନ, ରାହୁଲ ଦ୍ରାବିଡ, ଷ୍ଟିଭ୍ ସ୍ମିଥ୍, ଅଜିଙ୍କ୍ୟ ରାହାଣେ ଏବଂ ସଞ୍ଜୁ ସାମସନ ଦଳର ଅଧିନାୟକ ଥିଲେ । ରିୟାନ ୮ଟି ମ୍ୟାଚ୍ରେ ରାଜସ୍ଥାନର ଅଧିନାୟକତ୍ୱ କରିଛନ୍ତି । ଦୁଇଟି ମ୍ୟାଚରେ ବିଜୟୀ ହୋଇଥିଲା ଦଳ । ୬ଟି ମ୍ୟାଚରେ ପରାଜିତ ହୋଇଥିଲା ଆରଆର । ୨୩ ବର୍ଷୀୟ ରିୟାନ ପରାଗ ଗତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ଗୌହାଟୀରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ସହ ସେ ରାଜସ୍ଥାନ ରୟାଲ୍ସର ସବୁଠାରୁ ଯୁବ ଅଧିନାୟକ ହୋଇଥିଲେ। ସେ ଆଇପିଏଲ ଇତିହାସରେ ପଞ୍ଚମ ଯୁବ ଅଧିନାୟକ ମଧ୍ୟ ହୋଇଥିଲେ।

IPL 2025 ପୂର୍ବରୁ, ରାଜସ୍ଥାନ ରିୟାନ ପରାଗଙ୍କୁ ୧୪ କୋଟି ଟଙ୍କାରେ ରିଟେନ୍ କରିଥିଲା । ସେ ୨୦୧୯ ରେ ଦଳରେ ଯୋଗ ଦେଇଥିଲେ । ଏହି ସମୟ ମଧ୍ୟରେ, ସେ ୮୪ ମ୍ୟାଚରେ ୨୬.୧୦ ହାରରେ ଏବଂ ୧୪୧.୮୫ ଷ୍ଟ୍ରାଇକ୍ ରେଟରେ ୧୫୬୬ ରନ୍ କରିଛନ୍ତି । ଏଥିରେ ୭ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ୯୫ ରନ୍ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ପରାଗ ୨୦୨୪ ରେ ଦଳ ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ୧୬ ମ୍ୟାଚରେ, ସେ ୫୨.୦୯ ହାରରେ ଏବଂ ୧୪୯.୨୨ ଷ୍ଟ୍ରାଇକ୍ ରେଟ୍ ସହ ୫୭୩ ରନ୍ କରିଥିଲେ। ଏଥିରେ ୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା ।